କୋଭିଡ୍‌-୧୯ ମୁକାବିଲା: ଖାଦ୍ୟ ଯୋଗାଣ ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)-କୋଭିଡ୍‌-୧୯ର ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ରାଜ୍ୟକୁ ଲକ୍‌ଡାଉନ ରଖିଛନ୍ତି। ଏହି ସମୟରେ ଗ୍ରାମପଞ୍ଚାୟତ ଗୁଡିକରେ ଦିଆଯାଉଥିବା ରନ୍ଧା ଓ ଶୁଖିଲା ଖାଦ୍ୟ ଯେପରି ଗରିବ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉଭୟ ସହର ଓ ଗ୍ରାମାଞ୍ଚଳରେ ଯେପରି ସାମାଜିକ ଦୂରତ୍ୱ କଡାକଡି ପାଳନ ହେବ ସେଥିପ୍ରତି ଦୃଷ୍ଟିଦେବାକୁ ପରାମର୍ଶ ଦେଇଛନ୍ତି।
ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଲକ୍‌ଡାଉନ ପରେ ରାଜ୍ୟରେ ବାସ୍ତବ ଚିତ୍ର କ’ଣ ରହିଛି ସେନେଇ ସମୀକ୍ଷା କରିଛନ୍ତି। ଅନ୍ୟ ରାଜ୍ୟର ଶ୍ରମିକ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ପଞ୍ଚାୟତ ଓ ସହରାଞ୍ଚଳରେ ଦିଆଯାଉଥିବା ଖାଦ୍ୟ, ସାମାଜିକ ଦୂରତ୍ୱ, ସାମାଜିକ ନିରାପତ୍ତା ଯୋଜନାରେ ଦିଆଯାଉଥିବା ଭତ୍ତା, ପଞ୍ଚାୟତଗୁଡିକରେ କରାଯାଉଥିବା ମେଡିକାଲ କ୍ୟାମ୍ପଗୁଡିକ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ନେଇ ଏନ୍‌ଜିଓ ଏବଂ ସ୍ବୟଂସହାୟକ ଗୋଷ୍ଠୀଗୁଡିକୁ ଅଧିକରୁ ଅଧିକ ସାମିଲ କରିବା ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଯୋଗଦେଇ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।