Categories: ଖେଳ

କୋଭିଡ୍‌-୧୯ ନିର୍ମୂଳ ହେବା ପରେ କ୍ରିକେଟ ଖେଳାଯିବା ଉଚିତ: ଯୁବରାଜ

ନୂଆଦିଲ୍ଲୀ,୨୫।୪(ପି.ଟି.): ସମ୍ପୂର୍ଣ୍ଣ ରୂପେ ବିଶ୍ୱ କରୋନା ଭାଇରସ୍‌ ମୁକ୍ତ ହେବା ପରେ କ୍ରିକେଟ ଆରମ୍ଭ କରାଯିବା ଉଚିତ୍‌ ବୋଲି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କହିଛନ୍ତି। କ୍ରିକେଟ ପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ପ୍ରାଥମିକତା ଦିଆଯିବା ନିହାତି ଜରୁରୀ ବୋଲି ସେ ମତ ଦେଇଛନ୍ତି। ପ୍ରଥମେ କରୋନା ଭାଇରସ୍‌ରୁ ଦେଶ ତଥା ବିଶ୍ୱକୁ ମୁକ୍ତି କରିବା ଆମର ଲକ୍ଷ୍ୟ ହେବା ଉଚିତ ବୋଲି ବିବିସିକୁ ସାକ୍ଷାତ୍‌କାର ଦେବା ଅବସରରେ ଯୁବି କହିଛନ୍ତି।
କରୋନା ଭାଇରସକୁ ସମ୍ପୂର୍ଣ୍ଣ ରୂପେ କିମ୍ବା ୯୦ରୁ ୯୫ ପ୍ରତିଶତ ନିର୍ମୂଳ କରାଯିବା ଉପରେ କାର୍ଯ୍ୟ କରାଯିବା ଉଚିତ। କାରଣ ଏପରି କରା ନ ଗଲେ ଖେଳାଳିମାନଙ୍କ ମଧ୍ୟରେ ଭୟ ରହିବ। କ୍ରିକେଟରମାନେ ପଡିଆକୁ, ବାହାରକୁ, ରାସ୍ତାକୁ ଏପରି କି ଡ୍ରେସିଂରୁମ୍‌କୁ ଯିବା ପାଇଁ ଭୟ କରିବେ। ଏପରି ହେଲେ ସ୍ବାଭାବିକ ଖେଳ ପ୍ରଦର୍ଶନ କରିବା ଅସମ୍ଭବ ହୋଇପଡିବ ଓ ଖେଳାଳିମାନେ କ୍ରିକେଟ ଉପରେ ଫୋକସ କରିପାରିବେ ନାହିଁ। ଏମିତିରେ ଜଣେ ଖେଳାଳି ଯେତେବେଳେ ନିଜ ଦେଶ, କ୍ଲବ ତରଫରୁ ପ୍ରତିନିଧିତ୍ୱ କରେ ଚାପରେ ଥାଏ। କରୋନ ଭାଇରସର ଭୟ ମନେ ନେଇ ଖେଳିବା ଅସମ୍ଭବ ବୋଲି ସେ କହିଛନ୍ତି। ସମ୍ଭାବ୍ୟ ସଂକ୍ରମଣର ମୁକାବିଲା କରିବା ନେଇ ମନରେ ଚ୍ୟାଲେଞ୍ଜ ରହିବ। କେତେବେଳେ କେଉଁଠାରୁ ସଂକ୍ରମଣ ହୋଇପାରେ ବୋଲି ମନରେ ଭୟ ରହିବା ସ୍ବାଭାବିକ। ତେଣୁ ପ୍ରଥମେ ଏହି ଭାଇରସ୍‌କୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରା ନ ଗଲେ କ୍ରିକେଟ ସମ୍ଭବ ନୁହଁ ବୋଲି ଯୁବରାଜ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଯୁବରାଜ କ୍ୟାରିୟରରେ ୪୦ ଟେଷ୍ଟ, ୩୦୪ଟି ଦିନିକିଆ ଓ ୫୮ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Share