କୋଭିଡ୍‌-୧୯ ଉପରେ ଭିଡିଓ ଗେମ୍‌: ତିଆରି କଲେ ଇଟାଲୀର ୯ ବର୍ଷୀୟ ବାଳକ

ମିଲାନ,୨୭ା୪: କରୋନା ଭାଇରସ୍‌(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଲୋକେ ଦୀର୍ଘଦିନ ଧରି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ନାନା ଅସୁବିଧା ମଧ୍ୟରେ ରହି ସେମାନେ ଭିନ୍ନ ଭିନ୍ନ ଉପାୟରେ ଏହି ସମୟକୁ ଅତିବାହିତ କରିଛନ୍ତି। ପିଲାମାନଙ୍କ ଅସୁବିଧା ମଧ୍ୟ କିଛି କମ୍‌ ନୁହେଁ। ସେମାନଙ୍କ ପାଠପଢ଼ା, ଖେଳକୁଦ, ବ୍ୟାୟାମ ବହୁଳ ଭାବେ ପ୍ରଭାବିତ ହୋଇଛି। ଦିନ ଦିନ ଧରି ଘରେ ରହିବା ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହି ସମୟରେ ଅନେକ ପିଲା ହୋମ୍‌ ସ୍କୁଲିଂର ମାନିଆ ହୋଇପଡ଼ିଥିବାବେଳେ ଇଟାଲୀର ୯ ବର୍ଷୀୟ ବାଳକ ଲୁପୋ ଡାଟୁରୀ କିନ୍ତୁ କୋଭିଡ୍‌-୧୯ ସହ ଭିନ୍ନ ଲଢ଼େଇ ଚଳାଇଛନ୍ତି।
ଇଟାଲୀର ମିଲାନ ସହର ଉପକଣ୍ଠରେ ରହୁଥିବା ଲୁପୋ ହେଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର। ସେ ରହୁଥିବା ଅଞ୍ଚଳର ଅଧିବାସୀମାନେ ଗତ ମାର୍ଚ୍ଚ ୪ ତାରିଖରୁ ଲକ୍‌ଡାଉନରେ ରହିଛନ୍ତି। ଏହି ସମୟରେ ଲୁପୋ ତାଙ୍କ ସାଙ୍ଗମାନଙ୍କ ସହ ଖେଳିବା ପାଇଁ ତିଆରି କରିଛନ୍ତି କୋଭିଡ୍‌-୧୯ ଉପରେ ଆଧାରିତ ଭିଡିଓ ଗେମ୍‌ ‘ସେର୍ବା-୨୦’। ଲୁପୋ କୁହନ୍ତି, କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ସେ ତାଙ୍କ ସବୁ ଖେଳକୁଦ ବନ୍ଦ କରିଦେଇଛନ୍ତି। ଏପରିକି ନିଜ ପୋଷା କୁକୁର ସହ ପୋଖରୀକୁ ଯାଇପାରୁନାହାନ୍ତି। ସ୍କିଇଙ୍ଗ୍‌, ସୁଇମିଂ ଓ କରାଟେ ବଦଳରେ ଏକ୍ସରସାଇଜ୍‌ ବାଇକ ବ୍ୟବହାର କରୁଛନ୍ତି। ଏହିସବୁରୁ ତାଙ୍କୁ ପ୍ରେଗ୍ରାମିଂ କରିବା ପାଇଁ ଇଚ୍ଛା ହେଲା। ଏଭଳି ଆଗ୍ରହ ସେ ତାଙ୍କ ବାପା ମାର୍କୋ(ଜଣେ ବ୍ୟବସାୟିକ ମ୍ୟାନେଜର)ଙ୍କୁ ଜଣାଇଥିଲେ। ଏହାପରେ ସେ ଅନ୍‌ଲାଇନ୍‌ ଟ୍ୟୁଟୋରିଆଲ ସହାୟତାରେ ତିଆରି କରିଥିଲେ ଭିଡିଓ ଗେମ୍‌ ‘ସେର୍ବା-୨୦’। ଏହି ଖେଳର ଲକ୍ଷ୍ୟ ହେଉଛି ‘ଖୋଜିବା ଏବଂ ବିନାଶ କରିବା’, ଯାହାକି ଲେଜର୍‌ ଦ୍ୱାରା ଖେଳାଯାଏ। ଏଥିରେ ଖେଳାଳି ‘ସେର୍ବା-୨୦’ ସ୍ପେଶ୍‌କ୍ରାପ୍ଟର କ୍ୟାପଟେନ ଚେୟାରରେ ରହିଥାଏ ଏବଂ ତା’ ସାମ୍ନାରେ ଶତ୍ରୁ ହେଉଛି କୋଭିଡ୍‌-୧୯। ଲୁପୋ ଏହି ଗେମ୍‌ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଛନ୍ତି। ହେଲେ କିପରି ପ୍ରୋଗ୍ରାମିଂ କରାଯାଏ ତାହା ସେମାନଙ୍କୁ ଶିକ୍ଷାଦେବା ହେଉଛି ତାଙ୍କର ଲକ୍ଷ୍ୟ। ଲୁପୋଙ୍କୁ ପ୍ରୋଗ୍ରାମିଂ କରିବା ପାଇଁ ତାଙ୍କ ଶିକ୍ଷକମାନଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି, ଯାହା କୌଣସି ଖେଳ ପାଇଁ ବରଂ ଆବଶ୍ୟକ କାମରେ ଆସିପାରିବ। ଲୁପୋଙ୍କ ଭିଡିଓ ଗେମ୍‌ ଭାଇରାଲ ହୋଇଥିବାରୁ ତାଙ୍କ ମା’ ଫ୍ରାନ୍ସସ୍କା ଜମ୍ବୋନିନ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟ ଲୁପୋଙ୍କୁ ଅଧିକ କିଛି କରିବାକୁ ଖୋରାକ ଯୋଗାଇବ ବୋଲି ସେ କହିଛନ୍ତି।

Share