କୋଭିଡ୍‌-୧୯: ଆଫ୍ରିକାନ୍‌ କ୍ଲବ ଫାଇନାଲ୍ସ ସ୍ଥଗିତ

କାଏରୋ,୧୯।୪(ଏଏଫ୍‌ପି): ଆଫ୍ରିକାନ୍‌ ଚାମ୍ପିୟନ୍ସ ଲିଗ୍‌ ଓ ଆଫ୍ରିକାନ କନ୍‌ଫେଡେରେଶନ କପ୍‌ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ ନିର୍ଦ୍ଧାରିତ ସମୟରେ ଆୟୋଜନ ହୋଇପାରିବ ନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ମେ’ରେ ଏହି ଦୁଇଟି ଟୁର୍ନାମେଣ୍ଟର ଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ପରବର୍ତ୍ତୀ ନୋଟିସ୍‌ ନ ଆସିବା ପର୍ଯ୍ୟନ୍ତ କନ୍‌ଫେଡେରେଶନ କପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ୨୦୧୯/୨୦କୁ ସ୍ଥଗିତ ରଖାଗଲା ବୋଲି କନ୍‌ଫେଡେରେଶନ ଅଫ୍‌ ଆଫ୍ରିକାନ ଫୁଟବଲ (ସିଏଏଫ୍‌) ତରଫରୁ କୁହାଯାଇଛି।
କାମେରୁନ୍‌ ବନ୍ଦର ସହର ଡୋଉଆଲାରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ମେ ୨୦ ଶୁକ୍ରବାର ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ୫୦, ୦୦୦ ସିଟ୍‌ ବିଶିଷ୍ଟ ଜାପେମା ଷ୍ଟାଡିୟମରେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ସେହିପରି କନ୍‌ଫେଡେରେଶନ କପ୍‌ ଫାଇନାଲ ମରକ୍କୋ ରାଜଧାନୀ ରାବାଟର ପ୍ରିନ୍ସ ମୌଲେ ଅବ୍‌ଦେଲ୍ଲା ଷ୍ଟାଡିୟମରେ ମେ ୨୪ ତାରିଖ ରବିବାର ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ଆଫ୍ରିକାନ ଫୁଟବଲ ସହିତ ସମ୍ପର୍କରେ ଥିବା ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରି ଦୁଇଟି ଫାଇନାଲର ନୂଆ କାର୍ଯ୍ୟସୂଚୀ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସିଏଫ୍‌ କହିଛି। କରୋନା ସଂକ୍ରମଣ ନେଇ ସିଏଏଫ୍‌ କଡ଼ା ନଜର ରଖିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଓ ଅନ୍ୟାନ୍ୟ ସଂଗଠନ ସହ ସିଏଏଫ୍‌ କାର୍ଯ୍ୟ କରୁଛି। ଯଦି ସ୍ଥିତି ସ୍ବାଭାବିକ ହୁଏ ତେବେ ନୂଆ ତାରିଖ ଘୋଷଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ସିଏଏଫ୍‌ କହିଛି।

Share