କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ଦୁର୍ଘଟଣା: ଦୁଇ ବସ୍‌ ଧକ୍କାରେ ୮ ଗୁରୁତର, ୯ ଆହତ

କୋଣାର୍କ, ୩୦।୧(ଡି.ଏନ୍‌.ଏ.): କୋଣାର୍କ ଥାନା ଅଧୀନ କୋଣାର୍କ -ପୁରୀ ବେଳାଭୂମି ମାର୍ଗ ରାସ୍ତାରେ ଗୁରୁବାର ଏକ ଟୁରିଷ୍ଟ ବସକୁ ପଛପଟୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ୮ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି।

ପ୍ରକାଶ ଯେ, କାକଟପୁର ମା’ ମଙ୍ଗଳାଙ୍କ ଦର୍ଶନ ସାରି ପାଟକୁରା ଥାନା ଅଞ୍ଚଳର ଏକ ଟୁରିଷ୍ଟ ବସ୍‌ (ଓଡି୨୯ଜି ୦୫୧୫) ଯୋଗେ ପୁରୀ ବୁଲିବାକୁ ଯାଉଥିବା ବେଳେ କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ‘ଷୋଳପୁଅ ମା’ ନାମକ ବସ (ଓଆର ୧୩-୯୬୦୬) ପଛପଟୁ ପିଟିଥିଲା। ଏହି ଦୁର୍ଘଟଣାରେ ଦୁଇଟି ବସ୍‌ର ୮ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୯ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ ଓ ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କୋଣାର୍କ ଥାନା ପୋଲିସ ଗାଡି ଦୁଇଟିକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।