କୋଣାର୍କ ଜଗନ୍ନାଥଙ୍କ ଦେବନୀତିରେ ସମସ୍ୟା

କୋଣାର୍କ,୨୦ା୪(ଡି.ଏନ୍‌.ଏ): କରୋନାଜନିତ ଲକ୍‌ଡାଉନ ହେତୁ କୋଣାର୍କସ୍ଥିତ ଜଗନ୍ନାଥ ମନ୍ଦିରର ଦେବନୀତିରେ ସମସ୍ୟା ସୃଷ୍ଟି ହେଉଛି। ଦର୍ଶନ ଉପରେ କଟକଣା ଯୋଗୁ ଭକ୍ତ ଆସୁ ନ ଥିବାରୁ ଆୟ ହେଉନାହିଁ। ତେଣୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ଚଳାଇବାରେ ବ୍ୟାଘାତ ଉପୁଜୁଛି। ପ୍ରତିଦିନ ଏଠାରେ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଦ୍ୱାର ଫିଟିବାଠାରୁ ପହୁଡ଼ ପଯର୍‌ୟନ୍ତ ନୀତି ହୁଏ। ମନ୍ଦିରର ଆୟ ନ ଥିବାରୁ ବର୍ତ୍ତମାନ କଷ୍ଟେମଷ୍ଟେ ନୀତି ସମ୍ପାଦନ କରାଯାଉଛି। ଏଠାରେ ୫ଜଣ କର୍ମଚାରୀ ସହିତ ଅଭ୍ୟାଗତଙ୍କ ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଚାଲିଆସୁଥିଲା। ମାତ୍ର ବର୍ତ୍ତମାନ ଲକଡାଉନ କାରଣରୁ ସେସବୁ ପ୍ରଭାବିତ ହୋଇଛି ବୋଲି ନିରଞ୍ଜନ ବାରିକ କହିଛନ୍ତି ା ଏ ନେଇ ତହସିଲଦାରଙ୍କୁ ସହଯୋଗ ମାଗିବାରେ ଆମ ପାଖରେ ମନ୍ଦିର ପାଇଁ କିଛି ବ୍ୟବସ୍ଥା ନାହିଁ, ତମେ ଏଣ୍ଡାମେଣ୍ଟକୁ ଜଣାଅ ବୋଲି କହିଥିଲେ। ଅଦ୍ୟାବଧି ଏହି ମନ୍ଦିରକୁ ସରକାରୀ କି ବେସରକାରୀ ସ୍ତରରେ ସହଯୋଗ ମିଳିନାହିଁ। ତେଣୁ ଏହି ମନ୍ଦିରର ନୀତିକାନ୍ତି ପାଇଁ ଜିଲାପାଳ ଦୃଷ୍ଟି ଦେବାକୁ ମନ୍ଦିର ପରିଚାଳକ ନିବେଦନ କରିଛନ୍ତି।