Categories: ଖେଳ

କୋଟିଫ୍‌ କପ୍‌ ମହିଳା ଫୁଟବଲ:ବଲିଭିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ,୪।୮(ପି.ଟି.)- ସ୍ପେନ୍‌ରେ ଚାଲିଥିବା କୋଟିଫ୍‌ କପ୍‌ ଫୁଟବଲ୍‌ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଫୁଟବଲ ଦଳ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ଭାରତ ୩-୧ ଗୋଲ୍‌ରେ ଶକ୍ତିଶାଳୀ ବଲିଭିଆକୁ ହରାଇଛି। ଭାରତ ତରଫରୁ ରତ୍ନବାଳା ଦେବୀ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ବାଲା ଦେବୀ ଗୋଟିଏ ଗୋଲ ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ଭାରତ ସ୍ପାନିଶ କ୍ଲବ ଭିଲେରିଏଲ ସିଏଫ୍‌ଠାରୁ ପରାସ୍ତ ହୋଇଥିଲା।
ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଭାରତର ସୁଇଟି ଦେବୀ ନିଜ ଗୋଲ ପୋଷ୍ଟକୁ ବଲ୍‌ ମାରି ଆତ୍ମଘାତୀ ଗୋଲ ଦେବା ଫଳରେ ବଲଭିଆ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଏହା ପରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ପଞ୍ଚମ ମିନିଟ୍‌ରେ ବାଲା ଦେବୀ ଗୋଲ ଦେଇଥିଲେ। ଏହାପରେ ୩୬ତମ ମିନିଟ୍‌ରେ ରତ୍ନବାଳା ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହାର କିଛି ସମୟ ପରେ ରତ୍ନବାଳା ଦେବୀ ଦ୍ୱିତୀୟ ଗୋଲ ସ୍କୋର କରି ଭାରତକୁ ୩-୧ରେ ଅଗ୍ରଣୀ କରାଥିଲେ। ତେବେ ଏହାପରେ ଗୋଲ ନ ହେବାରୁ ଭାରତ ବିଜୟୀ ହୋଇଥିଲା। ପୂରା ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ପ୍ରଭାବ ବିସ୍ତାର କରି ଖେଳିଥିଲା।

Share