Categories: ଜାତୀୟ

‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ: ବିଧାୟକଙ୍କୁ ହୋଟେଲରେ ରଖିଲା କଂଗ୍ରେସ

ଜୟପୁର, ୧୧।୬: ରାଜସ୍ଥାନରେ ରାଜ୍ୟ ସଭା ନିର୍ବାଚନ ରାଜନୀତି ବେଶ୍‌ ରୋଚକ ମୋଡ଼ ନେବାରେ ଲାଗିଛି। କଂଗ୍ରେସକ୍ଷରୁ ଭାଜପା ବିରୋଧରେ ‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ ଆଣିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେବାପରେ କଂଗ୍ରେସ ସମେତ ନିର୍ଦ୍ଦଳୀୟ ବିଧାୟକଙ୍କୁ ଜୟପୁର ସ୍ଥିତ ଶିବ ବିଳାସ ହୋଟେଲକୁ ସ୍ଥାନାନ୍ତର କରାଯାଇଛି। ୧୧୦ ବିଧାୟକଙ୍କୁ ଏହି ହୋଟେଲରେ ରଖାଯାଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ହୋଟେଲରେ ପହଞ୍ଚି ବିଧାୟକଙ୍କ ଏକଜୁୁଟ ହୋଇ ରହିବା ଲାଗି ପରାମର୍ଶ ଦେଇଛନ୍ତି। ଭାଜପା ବିଧାୟକଙ୍କୁ ୫ରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରଲୋଭନ ଦେଉଥିବା ଅଭିଯୋଗ କରାଯାଇଛି। ୧୫ ବିଧାୟକ ହୋଟେଲରେ ରହି ନାହାଁନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ସ୍ବାସ୍ଥ୍ୟଗତ କାରଣ ଥିବାବେଳେ ଅନ୍ୟ କେତେକ ବ୍ୟକ୍ତିଗତ ସମସ୍ୟା ଯୋଗୁ ହୋଟେଲରେ ରହି ନାହାଁନ୍ତି। କିଛି ବିଧାୟକ ହୋଟେଲରେ ଏସି ଖରାପ ଥିବାରୁ ଘରକୁ ଫେରି ଯାଇଛନ୍ତି। ରାଜ୍ୟର ୩ ରାଜ୍ୟ ସଭା ଆସନ ପାଇଁ ଜୁନ୍‌ ୧୯ରେ ନିର୍ବାଚନ ହେଉଛି। ପ୍ରତି ଆସନ ଲାଗି ପ୍ରାର୍ଥୀଙ୍କୁ ୫୧ ଭୋଟ ଆବଶ୍ୟକ। କଂଗ୍ରେସ ୨ ଆସନରେ ସହଜରେ ବିଜୟ ହାସଲ କରିବା ନିଶ୍ଚିତ ବୋଲି କୁହାଯାଉଛି। ଏଥିପାଇଁ ୧୦୨ ଭୋଟ ଆବଶ୍ୟକ। କଂଗ୍ରେସ ସହିତ ୧୩ ନିର୍ଦ୍ଦଳୀୟ ବିଧାୟକ ଥିବାବେଳେ ବାମପନ୍ଥୀ ଏବଂ ବିଟିପିର ୨ ଜଣ ଲେଖାଏଁ ବିଧାୟକ ରହିଛନ୍ତି। ଅପରପକ୍ଷରେ ଆର୍‌ଏଲଡ଼ିର ଜଣେ ବିଧାୟକ ରହିଛନ୍ତି। ସେହିପରି ବିଧାନସଭାରେ ଭାଜପା ପାଖରେ ୭୨ ସଦସ୍ୟ ଥିବାବେଳେ ଆର୍‌ ଏଲ୍‌ପିର ୩ ଜଣ ବିଧାୟକଙ୍କର ସମର୍ଥନ ରହିଛି।

Share