କୋଟିଏ ଟଙ୍କାର କଦଳୀ ଫସଲ ନଷ୍ଟ

ଛେଣ୍ଡିପଦା,୨୧।୩(ସ୍ବ.ପ୍ର.)

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳର କଦଳୀ ଚାଷୀଙ୍କ ପାଇଁ କାଳ ହୋଇଛି କାଳବୈଶାଖୀ। ଗତ ଗୁରୁବାର ହୋଇଥିବା କାଳବୈଶାଖୀରେ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ କୋଟିଏରୁ ଅଧିକ ଟଙ୍କାର କଦଳୀ ଫସଲ ଉଜୁଡି ଯାଇଛି। ଫଳରେ ଚାଷୀମାନେ ବିଭିନ୍ନ ଉତ୍ସରୁ ଆଣିଥିବା ଋଣ କିପରି ପରିଶୋଧ କରିବେ ତାହାକୁ ନେଇ ବର୍ତ୍ତମାନ ସେମାନେ ଚିନ୍ତାରେ ପଡ଼ିଛନ୍ତି।
ଅଭିଯୋଗ ମୁତାବକ, କଣଲୋଇ ପଞ୍ଚାୟତର ଚାଷୀ ପୀତବାସ ମାଝି ୫ ଏକର ଜମିରେ କଦଳୀ ଚାଷ କରିଥିଲେ। ସେ ଘନଶ୍ୟାମ ବେହେରାଙ୍କଠାରୁ ଉକ୍ତ ଜମି ଭାଗରେ ଆଣିଥିବା ବେଳେ ସେଥିରେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରି ୩୦୦୦ କଦଳୀ ଗଛ ଲଗାଇଥିଲେ। କିନ୍ତୁ ଗୁରୁବାର କାଳବୈଶାଖୀ ଯୋଗୁ ତାଙ୍କର ୨୫୦୦ରୁ ଊଦ୍ଧର୍‌ବ କଦଳୀ ଗଛ ଭାଙ୍ଗି ମାଟିରେ ମିଶିଯାଇଛି। ସେହିପରି ଈଶ୍ବର ନାଏକଙ୍କ ପରିବାର ସଞ୍ଚୟ କରିଥିବା ୨ଲକ୍ଷ ଟଙ୍କାରେ ୪ ଏକରରେ କଦଳୀ ଚାଷ କରିଥିଲେ। ହେଲେ ତାହା ବର୍ଷା ପବନରେ ଭାଙ୍ଗି ନଷ୍ଟ ହୋଇଯାଇଛି। ନୂଆଗାଁର ଅଜିତ ମାଝି ଏକ ଏକରରେ ଲଗାଇଥିବା ୮୦୦ କଦଳୀ ଗଛରୁ ୬୬୦ଟି ଭାଙ୍ଗିଯାଇଛି। ଲୋକନାଥ ବେହେରା, ରମେଶ ଚନ୍ଦ୍ର ବେହେରା, ଧ୍ରୁବ ଚରଣ ସେଠୀ, ରମେଶ ବେହେରା, ତ୍ରୈଲୋକ୍ୟ ସାହୁ, ଅଲେଖ ବେହେରା, ରମେଶ ଚନ୍ଦ୍ର ସାହୁ, ଡମ୍ବୁରୁଧର ସାହୁ, କୁମୁଦ ଚନ୍ଦ୍ର ପ୍ରଧାନ, ସନ୍ତୋଷ ଦେହୁରୀ, ଦ୍ୱାରୁ ନାଏକ, ସନାତନ ନାଏକ, କୁନା ମାଝି, ପବିତ୍ର ନାଏକ, ଚନ୍ଦ୍ର ନାଏକ ପ୍ରମୁଖଙ୍କ ୧୩ ଏକର ଜାଗାରେ ଲାଗିଥିବା ୧୧ ହଜାରରୁ ଊଦ୍ଧର୍‌ବ କଦଳୀ ଗଛ ଭାଙ୍ଗି ଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଉଜୁଡି ଯାଇଥିବା କଦଳୀ ଚାଷର ଠିକ୍‌ ଆକଳନ କରି ସରକାର ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ଏହାର ଆକଳନ କରାଯାଇ କ୍ଷତିପୂରଣ ଦେବା ନିମନ୍ତେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛେଣ୍ଡିପଦା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।