Categories: ଜାତୀୟ

କୋଟା ହସ୍ପିଟାଲକୁ ପଛରେ ପକାଇଲା ପିବିଏମ୍‌: ଆଇସିୟୁରେ ୧୬୨ ଶିଶୁଙ୍କ ମୃତ୍ୟୁ

ବିକାନେର,୫।୧: ରାଜସ୍ଥାନରେ ଶିଶୁ ମୃତ୍ୟୁ ଘଟଣା ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ବିକାନେରର ପିବିଏମ୍‌ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି। କାରଣ କୋଟାର ଜେକେ ଲୋନ ହସ୍ପିଟାଲକୁ ଏବେ ପଛରେ ପକାଇ ଦେଇଛି ବିକାନେରର ପିବିଏମ୍‌ ହସ୍ପିଟାଲ। କୋଟାରେ ୩୫ ଦିନରେ ୧୧୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବିକାନେରର ପିବିଏମ୍‌ରେ ଡିସେମ୍ବରରେ ଆଇସିୟୁରେ ୧୬୨ ଶିଶୁଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ସର୍ଦ୍ଦାର ପଟେଲ ମେଡିକାଲ କଲେଜର ପ୍ରିନ୍ସିପାଲ ଏଚ୍‌ଏସ୍‌ କୁମାର। ହେଲେ ଏହି ଘଟଣାରେ ହସ୍ପିଟାଲ ପକ୍ଷରୁ କୌଣସି ଅବହେଳା କରାଯାଇ ନ ଥିବା ସେ କହିଛନ୍ତି। ଏଥିରୁ ଜଣାପଡୁଛି କି ପିବିଏମ୍‌ରେ ପ୍ରତିଦିନ ୫ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁଯାୟୀ ପିବିଏମ୍‌ରେ କେବଳ ଡିସେମ୍ବରରେ ବାହାରୁ ଆସିଥିବା ଓ ସେଠାରେ ଜନ୍ମ ହୋଇଥିବା ପ୍ରାୟ ୨୨୧୯ ଶିଶୁ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ ପ୍ରାୟ ୭.୩ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ହୋଇଛି। ଏବେ ଏହି ଶିଶୁ ମୃତ୍ୟୁହାର ଦେଖିବା ପରେ ସମସ୍ତେ ଏକ ପ୍ରକାର ଚିନ୍ତାରେ ପଡିଯାଇଛନ୍ତି।

Share