କୋଇଲା ଗୁଣ୍ଡ ଉଡ଼ି ପ୍ରଦୂଷଣ ଆସ୍ତରଣ

କୁତ୍ରା, ୨୩।୪: (ଡି.ଏନ.ଏ.) କୋଇଲା ଗୁଣ୍ଡ ଉଡ଼ି ସୁନ୍ଦରଗଡ଼ ଜିଲା କୁତ୍ରା ଅଞ୍ଚଳ ପ୍ରଦୂଷଣର ଆସ୍ତରଣରେ ଛାଇ ହୋଇଛି। ଚାରିପଟେ କେବଳ ପ୍ରଦୂଷଣ ହିଁ ପ୍ରଦୂଷଣ। ଏହି ପ୍ରଦୂଷଣ ଯୋଗୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଶନିବାର ଅପରାହ୍ନରେ ସାମାନ୍ୟ ପବନ ହେବା ଫଳରେ ୧୦ନମ୍ବର ରାଜ୍ୟ ରାଜପଥ ସହିତ ବିଭିନ୍ନ ଅଞ୍ଚଳରେ କଳା ଆସ୍ତରଣରେ ଛାଇ ହୋଇଥିଲା। ସବୁଆଡ଼େ କେବଳ କଳାମୟ ଦେଖିବାକୁ ମିଳିଥିଲା। ଏତେ ମାତ୍ରାରେ କୋଇଲା ଗୁଣ୍ଡ ଉଡୁଥିଲା ଯେ ରାଜ୍ୟ ରାଜପଥ କଡ଼ରେ ଥିବା ଦୋକାନ ବଜାର, ଦୁଇ ଚକିଆ ଓ ବସ ଗୁଡିକରେ ଯିବା ଆସିବା କରୁଥିବା ଲୋକେ ମଧ୍ୟ କଳା ହୋଇଯାଇଥିଲେ। କିଛି ସମୟ ପାଇଁ ଲୋକେ ସମ୍ପୂର୍ଣ୍ଣ ରୂପରେ ମୁହଁ ଢାଙ୍କି ରହିଯାଇଥିଲେ। ଅଞ୍ଚଳରେ ଥିବା ବିଭିନ୍ନ କଳକାରଖାନା, ଇଟା ଭାଟି ପାଇଁ ଏଭଳି ପ୍ରଦୂଷଣ ହେଉଥିବା ଅଭିଯୋଗ ଆଣିଛନ୍ତି ଲୋକେ। ଏହା ସହିତ ରାସ୍ତା କଡ଼ଗୁଡିକରେ ବିଭିନ୍ନ କାରଖାନା ଗୁଡିକରୁ କୋଇଲା ଆସି ପଡ଼ୁଛି। ଫଳରେ ସାମାନ୍ୟ ପବନ ହେଲେ ଉଡିବାରେ ଲାଗୁଛି। ଆଗକୁ ଆହୁରି ପ୍ରଦୂଷଣର ମାତ୍ରା ବଢିବ। ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।