କେୟାର ହସ୍ପିଟାଲ ମାଲିକ ପାକିସ୍ତାନୀ ବୋଲି ଅଭିଯୋଗ ଆଣିଲେ ବିରୋଧୀ: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବିଧାନସଭା ଶୂନ୍ୟକାଳରେ କେୟାର ହସ୍ପିଟାଲକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିବା ସହ ମାଲିକାନାକୁ ନେଇ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ କହିଛନ୍ତି, ‘ବିରୋଧୀଙ୍କ ଅଭିଯୋଗ ପରେ ତଦନ୍ତ କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ହସ୍ପିଟାଲରେ ଚଢ଼ାଉ କରିଛନ୍ତି। ତଦନ୍ତ କାର୍ଯ୍ୟ ଚାଲିଛି। ଦିନେ ଅଥବା ଦୁଇ ଦିନ ମଧ୍ୟରେ ରିପୋର୍ଟ ଆସିଯିବ ବୋଲି ସେ କହିଛନ୍ତି।

କେୟାର ହସ୍ପିଟାଲର ମାଲିକ ଜଣେ ପାକିସ୍ତାନୀ। ତାଙ୍କ ନାମରେ ଅପରାଧିକ ମାମଲା ରହିଛି। ଏହି ହସ୍ପିଟାଲକୁ ଏନ୍‌ଓସି ମିଳିନାହିଁ। କିଭଳି ଏହାକୁ ଜଣେ ପାକିସ୍ତାନୀଙ୍କୁ ବିକ୍ରି କରାଗଲା ସେ ନେଇ ପ୍ରଦୀପ୍ତ ପ୍ରଶ୍ନ କରିଥିଲେ। ଏନେଇ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହାକୁ ସମର୍ଥନ କରିବା ସହ ଡାକ୍ତରଖାନାର ମାଲିକ ଏବେ ସେ ଜେଲରେ ଅଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଏହାର ଅନୁସନ୍ଧାନ କରି ଉତ୍ତର ରଖନ୍ତୁ ବୋଲି ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ଅପରପକ୍ଷେ ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ କଥାକୁ ଖଣ୍ଡନ କରିଛନ୍ତି। ପାକିସ୍ତାନ ବ୍ୟକ୍ତିଙ୍କ ନାମରେ ହସ୍ପିଟାଲ ଚାଲୁନାହିଁ। ହସ୍ପିଟାଲରେ କୌଣସି ସମସ୍ୟା ନାହିଁ। ଏନ୍‌ଓସି ଅଣାଯାଇଛି। ଏଣୁ ଅଯଥାରେ ଏହାକୁ ଇସ୍ୟୁ କରା ନଯାଉ ବୋଲି ସେ କହିଛନ୍ତି।