କେହି ମିଳିଲେ ନାହିଁ

ସମ୍ପାଦକୀୟ/ତଥାଗତ ସତପଥୀ
ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟାର ବୋଲ୍‌ସୋନାରୋ ଆସନ୍ତା ୨୬ରେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ବିଦେଶରୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମାରୋହକୁ ନିମନ୍ତ୍ରଣ କରାଯିବାର ପରମ୍ପରା ରହିଆସିଛି। କିନ୍ତୁ ବୋଲ୍‌ସୋନାରୋ ଜଣେ ସାଧାରଣ ବ୍ୟକ୍ତିତ୍ୱ ନୁହେଁ। ତାଙ୍କର ବିଭିନ୍ନ ମନ୍ତବ୍ୟ ପୃଥିବୀବ୍ୟାପୀ ସମାଲୋଚିତ ହୋଇଆସିଛି। ଜଣେ ଉଗ୍ର ଦକ୍ଷିଣପନ୍ଥୀ ଭାବେ ତାଙ୍କ ନିଜ ଦେଶରେ ମଧ୍ୟ ବୋଲ୍‌ସୋନାରୋ ସମାଲୋଚିତ ହୋଇଆସୁଛନ୍ତି। ବିଶେଷକରି ମହିଳାଙ୍କ ପ୍ରତି ତାଙ୍କ ଆଭିମୁଖ୍ୟ ସହିତ ପରିବେଶ ସୁରକ୍ଷା ଦିଗରେ କଠୋର ନକାରାତ୍ମକ ଚିନ୍ତାଧାରା କେବଳ ବ୍ରାଜିଲ୍‌ ନୁହେଁ, ସମଗ୍ର ପୃଥିବୀକୁ ଚିନ୍ତାରେ ପକାଇଛି। ନିଜ ଦେଶରେ ଆଦିବାସୀଙ୍କୁ ହତ୍ୟା କରି ଧନୀଙ୍କୁ ଜମି ହସ୍ତାନ୍ତର କରୁଥିବା ଏହି ରାଷ୍ଟ୍ରପତିଙ୍କ ରାଜନୀତିକୁ ଦୋଷ ଦିଆଯାଉଛି। ବ୍ରାଜିଲ୍‌ର ବିଭିନ୍ନ ଆଦିବାସୀ ନେତାଙ୍କ ଦ୍ୱାରା ଦିଆଯାଇଥିବା ବିବୃତିରେ ବୋଲ୍‌ସୋନାରୋଙ୍କୁ ଜଣେ ଗଣହତ୍ୟାକାରୀ, ଜାତିଗତ ହିଂସା ଭିଆଉଥିବା ଏବଂ ପରିବେଶ ଧ୍ୱଂସ କରୁଥିବା (ଜେନୋସାଇଡ୍‌, ଏଥ୍‌ନୋସାଇଡ୍‌ ଆଣ୍ଡ୍‌ ଇକୋସାଇଡ୍‌) ରାଷ୍ଟ୍ରପତି ଭାବେ ଚିତ୍ରଣ କରାଯାଇଛି। ବିଶ୍ୱସ୍ତରୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ପୃଥିବୀରେ ଥିବା ଅମ୍ଳଜାନର ୨୦ ପ୍ରତିଶତ ବ୍ରାଜିଲ୍‌ର ଆମାଜନ୍‌ ଜଙ୍ଗଲରୁ ମିଳିଥାଏ। ଏବେ ସେହି ଜଙ୍ଗଲକୁ ନିଆଁ ଲଗାଇ ଧ୍ୱଂସ କରିବାକୁ ଆଗଭର ହୋଇଥିବା ବୋଲ୍‌ସୋନାରୋ ନିଜ ବିରୋଧୀଙ୍କୁ ହତ୍ୟା କରିଦେଉଛନ୍ତି। ଯେଉଁ ଆଦିବାସୀ ଗୋଷ୍ଠୀ ଜଙ୍ଗଲ ଧ୍ୱଂସକୁ ବିରୋଧ କରୁଛି, ତାହାକୁ ନିପାତ କରିବାରେ ବୋଲ୍‌ସୋନାରୋଙ୍କ ସକ୍ରିୟ ଭୂମିକା ରହୁଛି ବୋଲି ବିଶ୍ୱ ଗଣମାଧ୍ୟମରେ ଆଲୋଚିତ ହେଉଛି। ଆମାଜନ୍‌ ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡ ପ୍ରତି ବିଶ୍ୱ ନେତାଙ୍କର ଦୃଷ୍ଟି ପଡ଼ିବା ଦରକାର ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରନ୍‌ ଗତ ଜି-୭ ଶିଳ୍ପୋନ୍ନତ ଦେଶମାନଙ୍କ ବୈଠକରେ ଉଲ୍ଲେଖ କରିଥିଲେ। ମାକ୍‌ରନ୍‌ଙ୍କ ଏହି ମନ୍ତବ୍ୟକୁ ନେଇ ବୋଲ୍‌ସୋନାରୋ ଅତ୍ୟନ୍ତ ଉତ୍‌କ୍ଷିପ୍ତ ହେବା ପରେ ମାକ୍‌ରନ୍‌ଙ୍କ ସହଧର୍ମିଣୀଙ୍କ ବିଷୟରେ ଅପମାନସୂଚକ ମନ୍ତବ୍ୟ ଦେବାକୁ ବୋଲ୍‌ସୋନାରୋ ପଛାଇ ନ ଥିଲେ। ବୋଲ୍‌ସୋନାରୋଙ୍କ କାର୍ଯ୍ୟଶୈଳୀକୁ ଦେଖିଲେ ଭାରତୀୟମାନେ ଅନେକ ସମାନ୍ତରାଳ ଉଦାହରଣ ପାଇବେ। ଯେଉଁ ଜାଗାରେ ବୋଲ୍‌ସୋନାରୋ ଆକ୍ରମଣ କରିପାରନ୍ତି ନାହିଁ, ସେଠାରେ ସେ ସହଯୋଗୀଙ୍କୁ ବ୍ୟବହାର କରି ବିରୋଧୀଙ୍କ ମୁହଁ ଚୁପ୍‌ କରିବାକୁ ଚେଷ୍ଟା କରନ୍ତି। ଗତବର୍ଷ ଅଗଷ୍ଟରେ ବୋଲ୍‌ସୋନାରୋଙ୍କ ଜଣେ ସମର୍ଥକ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ଙ୍କ ସ୍ତ୍ରୀ ୬୬ ବର୍ଷୀୟା ବ୍ରିଜେଟ୍‌ଙ୍କୁ ଉପହାସ କରିଥିଲେ। ସେ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ବ୍ରିଜେଟ୍‌ ଓ ବୋଲ୍‌ସୋନାରୋଙ୍କ ସ୍ତ୍ରୀ ୩୮ ବର୍ଷୀୟା ମିଶେଲଙ୍କୁ ରଖିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ସମସ୍ତେ ବୁଝିପାରୁଥିବେ ବୋଲ୍‌ସୋନାରୋଙ୍କ ଉପରେ ମାକ୍‌ରନ୍‌ କାହିଁକି ରାଗୁଛନ୍ତି। ବୋଲ୍‌ସୋନାରୋ ନିଜେ ପ୍ରତିକ୍ରିୟା ରଖି କହିଥିଲେ, ମାକ୍‌ରନ୍‌ଙ୍କୁ ଅପମାନିତ କରନାହିଁ। ଅର୍ଥାତ୍‌ ନିଜ ସହଧର୍ମିଣୀ ମାକ୍‌ରନ୍‌ଙ୍କ ସ୍ତ୍ରୀଠୁ ସୁନ୍ଦରୀ ଥିବାରୁ ସେ ଛିଗୁଲାଇଥିଲେ। ନାରୀଙ୍କ ସୌନ୍ଦର୍ଯ୍ୟ ଓ ଚରିତ୍ରକୁ ନେଇ ବୋଲ୍‌ସୋନାରୋଙ୍କ ବିବାଦୀୟ ମନ୍ତବ୍ୟ ମହିଳାଙ୍କୁ ଘୃଣା କରୁଥିବା ବ୍ୟକ୍ତି ଭାବେ ଚିହ୍ନିତ କରିଦେଉଛି। ଏଭଳି ବିବାଦୀୟ ପରିସ୍ଥିତି ଦେଖି ବ୍ରାଜିଲ୍‌ର ଖ୍ୟାତନାମା ଲେଖକ ପାଉଲୋ କୋଏଲୋ ଏକ ଭିଡିଓ ବାର୍ତ୍ତାଦେଇ ଫ୍ରାନ୍ସ ରାଷ୍ଟ୍ରପତି ମାକ୍‌ରନ୍‌ଙ୍କୁ ବୋଲ୍‌ସୋନାରୋଙ୍କ ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।
ଏଠାରେ ଆହୁରି ମନେପଡ଼େ ବୋଲ୍‌ସୋନାରୋ ୨୦୦୩ରେ ବ୍ରାଜିଲ୍‌ର ଜଣେ ମହିଳା ଏମ୍‌ପିଙ୍କୁ ଉପଲକ୍ଷ୍ୟ କରି ଦେଇଥିବା ମନ୍ତବ୍ୟ। ସେ କହିଥିଲେ, ସମ୍ପୃକ୍ତା ମହିଳାଙ୍କୁ ବଳାତ୍କାର କରିବାକୁ ଚାହଁିବେ ନାହିଁ। କାରଣ ସେ ଅତ୍ୟନ୍ତ ଅସୁନ୍ଦରୀ ଓ ବଳାତ୍କାରଯୋଗ୍ୟା ନୁହନ୍ତି। ପରେ ମଧ୍ୟ ସେ ଏଭଳି ବିଷୟକୁ ଦୋହରାଇଥିଲେ। ଏଥିରୁ ନାରୀମାନଙ୍କ ପ୍ରତି ତାଙ୍କର କିଭଳି ସମ୍ମାନ ରହିଛି ତାହା ସ୍ପଷ୍ଟ ଜଣାପଡୁଛି। ବଳାତ୍କାରକୁ ପ୍ରୋତ୍ସାହନ ଦେବା ଭଳି ମନ୍ତବ୍ୟ ରଖୁଥିବା ଜଣେ ବ୍ୟକ୍ତିଙ୍କୁ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି କରାଯିବା ଅର୍ଥ ଆମ ଦେଶର ପ୍ରତ୍ୟେକ ମହିଳାଙ୍କ ଗାଲରେ ଚାପୁଡ଼ା ମାରିବା ସହ ସମାନ ବୋଲି କୁହାଯାଇପାରେ।
ନିଜ ଦେଶରେ ଗଣହତ୍ୟା, ପରିବେଶ ହତ୍ୟା ଏବଂ ମାତୃଶକ୍ତିର ଅସମ୍ମାନ କରୁଥିବା ବୋଲ୍‌ସୋନାରୋ ସମ୍ଭବତଃ ଆଜିର ଭାରତ ସରକାର ପାଇଁ ଏକ ଆଦର୍ଶ ସଦୃଶ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ। ଏହି ବର୍ଷର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୨୬ ଜାନୁୟାରୀରେ ମୁଖ୍ୟଅତିଥି ଭାବେ ବୋଲ୍‌ସୋନାରୋଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ଭାରତ ସରକାର ଏକ ବିକୃତ ବାର୍ତ୍ତା ଦେଶବାସୀଙ୍କୁ ଦେଇଛନ୍ତି। ବିଶେଷକରି ମହିଳାଙ୍କ ପ୍ରତି ଘଟୁଥିବା ଅତ୍ୟାଚାର ଏହି ଦେଶରେ ବୃଦ୍ଧି ପାଉଥିବା ବେଳେ ନିର୍ଭୟା ଗଣବଳାତ୍କାର ଓ ଦୋଷୀମାନଙ୍କୁ ପୂର୍ବ ନିର୍ଦ୍ଧାରିତ ସମୟରେ ଫାଶୀ ଦିଆଯାଇପାରୁନାହିଁ। ଜାନୁୟାରୀ ୨୨ରୁ ଫେବୃୟାରୀ ୧କୁ ଦଣ୍ଡାଦେଶ ଘୁଞ୍ଚିବା ଜନସାଧାରଣଙ୍କୁ ବ୍ୟସ୍ତ କରୁଛି। ଭାରତବ୍ୟାପୀ ମତ ପ୍ରକାଶ ପାଉଛି ଯେ, ମହିଳାଙ୍କୁ ବଳାତ୍କାର ଓ ହତ୍ୟା କରୁଥିବା ବ୍ୟକ୍ତିମାନଙ୍କୁ ତେଲଙ୍ଗାନା ପୋଲିସ ଭଳି ମାରିବା ଉଚିତ ନୁହେଁ। କିନ୍ତୁ ନ୍ୟାୟାଳୟରୁ ନ୍ୟାୟ ପ୍ରକାଶ ପାଇବା ପରେ ଦୋଷୀଙ୍କୁ ତତ୍‌କ୍ଷଣାତ୍‌ ଫାଶୀଖୁଣ୍ଟରେ ଝୁଲାଇବା ଆବଶ୍ୟକ। ସାଧାରଣ ମତ ଯେତେବେଳେ ଅପରାଧ ବିରୋଧୀ ପାଲଟୁଛି, ଠିକ୍‌ ସେହି ସମୟରେ ଭାରତ ସରକାରଙ୍କୁ ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ବ୍ୟତୀତ ଆଉ କେହି ମିଳିଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri