କେସିଆରଙ୍କ ଯଜ୍ଞ ଚିନ୍ତା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ସବୁବେଳେ ବାସ୍ତୁ ଉପରେ ବିଶ୍ୱାସ କରି ସବୁ କାର୍ଯ୍ୟ କରନ୍ତି। ତାଙ୍କ ଅଫିସଠାରୁ ଆରମ୍ଭ କରି ଘର, ସବୁଠି ବାସ୍ତୁ ଉପଯୋଗ କରାଯାଇଛି। ଏହା ପରେ ବି ସେ ବହୁତ ଯଜ୍ଞ କରନ୍ତି। ଏବେ ୧,୦୪୮ ମଣ୍ଡପରେ ୧୦୦୦ ବୈଦିକ ପଣ୍ଡିତଙ୍କ ସମେତ ୪୦୦୦ ସହକର୍ମୀଙ୍କ ଦ୍ୱାରା ଏକ ମହା ସୁଦର୍ଶନ ଯଜ୍ଞ ଆୟୋଜନ କରିବାକୁ ଯାଉଛନ୍ତି। । ଏହାକୁ ‘ମଦର ଅଫ ଅଲ୍‌ ଯଜ୍ଞ’ ବୋଲି କୁହାଯାଉଛି। କିଭଳି ଆୟୋଜନ କରାଯିବା ସଂକ୍ରାନ୍ତରେ ତ୍ରିଦଣ୍ଡି ଚିନ୍ନାଜିୟାର ସ୍ବାମୀଙ୍କ ସହ ତାଙ୍କ ଆଶ୍ରମରେ ଆଲୋଚନା କରିଛନ୍ତି। ହାଇଦ୍ରାବାଦଠାରୁ ୬୫ କିଲୋମିଟର ଦୂରରେ ଥିବା ଭୁବନଗିରି ଜିଲାର ୟାଦାଦ୍ରିର ଲକ୍ଷ୍ମୀନୃସିଂହ ମନ୍ଦିର ପାଖରେ ୧୦୦ ଏକରରେ ଏକ ଯଜ୍ଞବାଟିକା କରାଯାଇ ୧,୦୪୮ଟି ହୋମକୁଣ୍ଡ ଓ ଯଜ୍ଞଘର କରାଯିବ। ବଦ୍ରିନାଥ,ଶ୍ରୀରଙ୍ଗମ,ଜଗନ୍ନାଥ,ତିରୁପତିଙ୍କ ସମେତ ଅନ୍ୟ ପବିତ୍ର ପୀଠ ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ବୈଷ୍ଣବପୀଠର ପୀଠାଧୀଶଙ୍କୁ ଏହି ଯଜ୍ଞକୁ ନିମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି। ବିଶ୍ୱର ବିଭିନ୍ନ ଦେଶର ବହୁ ସନ୍ଥ ବି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରସରକାରରେ ଥିବା ବହୁ ନେତା, ସବୁ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହିନ୍ଦୁଧର୍ମର ବହୁ ଆଧ୍ୟାତ୍ମିକ ଗୁରୁଙ୍କୁ  ବି ଏହିି ଯଜ୍ଞକୁ ନିମନ୍ତ୍ରଣ କରାଯିବ । ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଯଜ୍ଞ ଖୋଲାରହିବ । ଏହା ପୂର୍ବରୁ କେସିଆର ୫ ଦିନ ଧରି ଅଚ୍ୟୁତ ମହାଚଣ୍ଡୀ ଯଜ୍ଞ ୨୦୧୫ରେ ଆୟୋଜନ କରି ଚର୍ଚ୍ଚାରେ ରହିଥିଲେ। ଏଥିରେ ବି ୨୫୦୦ ପଣ୍ଡିତ ଭାଗନେଇଥିଲେ ଓ ୧୦୧ଟି ହୋମକୁଣ୍ଡ କରାଯାଇଥିଲା। ୪୦ ଏକରରେ ଏହା କରାଯାଇଥିଲା। ଏଥିରେ ଖର୍ଚ୍ଚ ହୋଇଥିଲା୧୫ କୋଟି।

Share