କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ ଓ କାଦୁଆ ନଦୀରେ ବର୍ଷା ଯୋଗୁ ଜଳ ବୃଦ୍ଧି ଏବଂ କେଳୁଣୀ ମୁହାଁଣ ବନ୍ଦ ହୋଇଯାଇଥିବାରୁ ନଦୀ ଉପକୂଳବର୍ତ୍ତୀ ଗ୍ରାମ ଗୁଡ଼ିକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାବେଳେ କେଳୁଣୀ ମୁହାଁଣ ବାଲିରେ ପୋତିହୋଇ ପଡ଼ିଛି। ମୁହାଁଣ ଦେଇ ନଦୀ ଦ୍ୱୟର ଜଳ ଠିକ୍‌ ଭାବେ ସମୁଦ୍ରକୁ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ତଟବର୍ତ୍ତୀ ଗ୍ରାମର ଚାଷଜମି ଉଦ୍‌ବୃତ୍ତ ବର୍ଷାଜଳରେ ବୁଡ଼ି ରହିଛି। ମୁହାଁଣ ନିକଟବର୍ତ୍ତୀ ତଣ୍ଡାହାର, ଛେନୁ, ଉଦୟକଣି, କଟକଣା, ବାଘଡ଼ିଆ ଗାଁ ଚର୍ତୁପାର୍ଶ୍ୱରେ ବର୍ଷାଜଳ ଘେରିଯାଇଥିବାରୁ ଏହି ୫ଟି ଗାଁ ଏବେ ପାଣି ଘେରରେ ରହିଛି। ତଣ୍ଡାହାର ଓ ଛେନୁ ଗାଁ ମଧ୍ୟରେ ଥିବା ରାସ୍ତା ଉପରେ ୪ଫୁଟ ଉଚ୍ଚର ବର୍ଷାଜଳ ଜମିଛି। ଫଳରେ ଗ୍ରାମବାସୀ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ନଦୀ ତଟବର୍ତ୍ତୀ କାକଟପୁର ବ୍ଲକର ଶିଶୁଅ, କୋରଣା, ପାଟଳଦା, ଛୁରୀଅନା ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ପ୍ରତିବର୍ଷ ବର୍ଷା ରୁତୁରେ କେଳୁଣୀ ମୁହାଁଣ ବାଲିରେ ପୋତିହୋଇ ପଡ଼ୁଥିବାରୁ ଏପରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତୁରନ୍ତ କେଳୁଣୀ ମୁହାଁଣ ଖନନ କରାଯାଇ ବର୍ଷାଜଳ ଯେପରି ସମୁଦ୍ରକୁ ଠିକ୍‌ ଭାବେ ନିଷ୍କାସନ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧିନକୁମାର ନାୟକ କହିଛନ୍ତି।