କେରଳ, ମଧ୍ୟପ୍ରଦେଶରେ ଫସିଛନ୍ତି ୧୫୦ ଶ୍ରମିକ

ରଣପୁର, ୧୮ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ରଣପୁର ବ୍ଲକ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ କେରଳ ଓ ମଧ୍ୟପ୍ରଦେଶରେ ଫସିରହିଛନ୍ତି। କେରଳ ରାଜ୍ୟର ତ୍ରିବେନ୍ଦ୍ର ହାଉସିଂ ବୋର୍ଡ ଠେଙ୍ଗାଚୁଲା ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଲକ୍‌ଡାଉନ ସମୟରେ କେରଳ ପ୍ରଶାସନ ତରଫରୁ ମାତ୍ର ୧୦ରୁ ୧୨ ଥର ଖାଦ୍ୟ ସାମଗ୍ରୀ ରିଲିଫ୍‌ ଆକାରରେ ଦିଆଯାଇଥିଲା। ଏବେ ପ୍ରାୟ ୧ ମାସ ହେବ ରିଲିଫ ସାମଗ୍ରୀ ଦିଆଯାଉ ନ ଥିବା ସେମାନେ କହିଛନ୍ତି। ପ୍ରବାସୀ ଓଡ଼ିଆମାନେ ଏ ସମ୍ପର୍କରେ ଫୋନ ମାଧ୍ୟମରେ ଜଣାଇ ଫେରାଇ ଆଣିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଛନ୍ତି। ରଣପୁର ପୁରୁଣାବସନ୍ତର ଟୁକୁନା ମାହାପାତ୍ର, ମାନସ ରଣା, କୈଳାସ ସାହୁ କହିଛନ୍ତି, ଲକ୍‌ଡାଉନ କାଳରେ ମାନସିକ ଯନ୍ତ୍ରଣାଠାରୁ ଭୋକ ବଳିଯାଇଛ। ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ଏସ୍‌ଟିଆଇ ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଦରମା ଦେଉନାହିଁ କି ଖାଇବା ପିଇବା ବ୍ୟବସ୍ଥା କରୁ ନ ଥିବା ଶ୍ରମିକମାନେ କହିଛନ୍ତି। ଯାହାକିଛି ସଞ୍ଚତ୍ତ ଅର୍ଥ ସରିଯାଇଥିବାରୁ ଭୋକ ଉପାସରେ ରହିବାକୁ ପଡୁଛି ବୋଲି ଚିତରଞ୍ଜନ ରଣା, ଅକ୍ଷୟ ପ୍ରଧାନ, ରିତ ରାଉତ କହିଛନ୍ତି।