Categories: ଫୁରସତ

କେରଳରେ କୁକୁଡ଼ା ଦେଉଛନ୍ତି ସବୁଜ ରଙ୍ଗ କେଶର ଥିବା ଅଣ୍ଡା, ଚକିତ ହେଉଛନ୍ତି ବୈଜ୍ଞାନିକ

ସାଧାରଣତଃ ଆମେ ଖାଉଥିବା ଅଣ୍ଡାର କେଶର ହଳଦିଆ ଥାଏ। ହେଲେ ଯଦି ଆପଣଙ୍କୁ କୁହାଯାଏ ସବୁଜ ରଙ୍ଗ କେଶର ଥିବା ଅଣ୍ଡା ମଧ୍ୟ ଏବେ ବଜାରରେ ଉପଲବ୍ଧ ହେଲାଣି। ଅବିଶ୍ୱାସ ଲାଗିଲେ ବି କଥା ସତ। କେରଳର ଏକ ଛୋଟ ଫାର୍ମରେ ଥିବା କୁକୁଡ଼ା ଏଭଳି ଅଣ୍ଡା ଦେଉଛନ୍ତି। ଫାର୍ମ ମାଲିକ ଓ ତାଙ୍କ ପରିବାର ଏହି ଅଣ୍ଡା ଖାଉଛନ୍ତି ମଧ୍ୟ। ଏବେ ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେଉଛି।

ରାଜ୍ୟର ମଲ୍ଲପୁରମ୍‌ରେ ରୁହନ୍ତି ଏ.କେ. ଶିହାବୁଦ୍ଦିନ। ତାଙ୍କର ଏକ ଛୋଟ କୁକୁଡ଼ା ଫାର୍ମ ଅଛି। ତାଙ୍କର ଫାର୍ମରେ ଥିବା କୁକୁଡ଼ାମାନେ ସବୁଜ ରଙ୍ଗ କେଶର ଥିବା ଅଣ୍ଡା ଦେଉଛନ୍ତି। ୯ ମାସ ଧରି ସେ ଓ ତାଙ୍କ ପରିବାର ଏହି ଅଣ୍ଡା ଖାଉଛନ୍ତି। ହେଲେ ତାଙ୍କର କୌଣସି ଅସୁବିଧା ହୋଇନାହିଁ। ସେ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରେ ତାହା ଭାଇରାଲ ହୋଇଥିଲା। ଏହା ବୈଜ୍ଞାନିକମାନଙ୍କୁ ଚକିତ କରିଥିଲା।

ତେବେ ପରେ ଶିହାବୁଦ୍ଦିନ କୁକୁଡ଼ାଙ୍କୁ ଦେଉଥିବା ଖାଦ୍ୟର ନମୂନା ପରୀକ୍ଷଣ କରାଯାଇଥିଲା। ଏପରିକି ତାଙ୍କୁ ଦିଆଯାଉଥିବା ଖାଦ୍ୟକୁ ବଦଳାଇ ଆଉ କିଛି ଦେବାକୁ କହିଥିଲେ। ପ୍ରାଥମିକ ସ୍ତରରେ କୁକୁଡ଼ାମାନେ ସେହିଭଳି ଅଣ୍ଡା ଦେଉଥିବା ବେଳେ ଏବେ ହଳଦିଆ ରଙ୍ଗର କେଶରରେ ପରିବର୍ତ୍ତନ ହେଉଥିବା କୁହାଯାଉଛି।

ଏନେଇ କେରଳର ଆନିମଲ୍‌ ସାଇନ୍ସ ୟୁନିଭରର୍ସିଟିର ଏକ୍ସପର୍ଟ କୁହନ୍ତି, କୁକୁଡ଼ାଙ୍କ ଖାଇବାପିଇବାକୁ ନେଇ ଏଭଳି ହୋଇଛି। ଯଦି କୁକୁଡ଼ା ଖାଦ୍ୟରେ ସବୁଜ ରଙ୍ଗର ଅଧିକ ପଦାର୍ଥ ଥାଏ ତେବେ ଏଭଳି ହୋଇପାରିବ। କେରଳରେ ସାଧାରଣତଃ କୁକୁଡ଼ାମାନଙ୍କୁ କୁରୁନଥୋଟ୍ଟି ନାମକ ଔଷଧିୟ ବୃକ୍ଷ ଖାଇବାକୁ ଦିଆଯାଏ। ଫଳରେ କୁକୁଡ଼ା ଦେଉଥିବା ଅଣ୍ଡାର କେଶର ସବୁଜ ରଙ୍ଗର ହେଉଛି ବୋଲି ଡାକ୍ତରମାନେ ମତ ରଖିଛନ୍ତି।

Share