କେରଳରୁ ଫେରି ପାରୁନାହାନ୍ତି କନ୍ଧମାଳ ଶ୍ରମିକ

ଫୁଲବାଣୀ ଅଫିସ, ୨୭ା୩- କରୋନା ପାଇଁ ସାରାଦେଶରେ ଏବେ ଲକ୍‌ଡାଉନ୍‌। ଏଭଳି ସ୍ଥିତିରେ କନ୍ଧମାଳ ଜିଲାର ଯୁବତୀ ଯୁବକ ଏବଂ ଦମ୍ପତ୍ତି ଏବେ କେରଳରେ ଫସି ଯାଇଛନ୍ତି। ଶ୍ରମିକ ଭାବେ କାମ କରିବାକୁ ଯାଇ ସେମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେ ସେମାନଙ୍କ ପାଖରେ ଖାଇବାକୁ ନାହିଁ, କାମ ନ ଥିବାରୁ ପାଖରେ ଟଙ୍କା ମଧ୍ୟ ସରିଗଲାଣି। ଭଡାଘରେ ରହି ବହୁ ହଇରାଣ ହେଉଛନ୍ତି। ଉଦ୍ଧାର ପାଇଁ ସେମାନେ ଓଡ଼ିଶା ସରକାରଙ୍କୁ ନିବେଦିନ କରିଛନ୍ତି। ସେମାନେ କହିଛନ୍ତି, ଘର ଭଡା ନେଇ ରହି ଏକ କମ୍ପାନୀରେ ପ୍ଲାଇଉଡ୍‌ କାମ କରୁଥିଲୁ। କମ୍ପାନୀ ବନ୍ଦ ହୋଇଯାଇଛି। ମାଲିକ କାମ ନ ଥିବାରୁ ଟଙ୍କା ଦେଉ ନାହାନ୍ତି। ଯେତିକି ଟଙ୍କା ପାଖରେ ଥିଲା ସରିବାକୁ ବସିଲାଣି। ପାଖ ଦୋକାନରୁ ରାଶନ ସାମଗ୍ରୀ ବାକିରେ ଆଣୁଥିଲୁ, ଏବେ ବାକି ବଢୁଥିବାରୁ ଦୋକାନୀ ମଧ୍ୟ ମନା କରିଦେଉଛି। ଅନ୍ତତଃ ଘରକୁ ଗଲେ ଆମେ ଚଳି ଯାଆନ୍ତୁ। ସରକାରଙ୍କ ଯାହା ନିୟମ ରହିଛି ଆମେ ସବୁ ମାନିବାକୁ ପ୍ରସ୍ତୁତ। ଆମ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏଠାରୁ ନେବା ବ୍ୟବସ୍ଥା କରନ୍ତୁ ବୋଲି ରାଇକିଆ ବ୍ଲକ ମଣ୍ଡାସୁର ଗ୍ରାମର ଦମ୍ପତ୍ତି ମଳୟ ଦିଗାଲ ଏବଂ ପ୍ରିୟଙ୍କା ଦିଗାଲ, ଖଜୁରିପଡା ବ୍ଲକ ଦୂତୀପଡା ଗ୍ରାମର ଶ୍ରବଣ କହଁର, ସ୍ତ୍ରୀ ଫୁଲମତୀ ପ୍ରଧାନ ପ୍ରମୁଖ କହିଛନ୍ତି। କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନର ପ୍ରାୟ ୧୦ ଜଣ ଆମ ଆଖପାଖରେ ରହୁଛନ୍ତି। ସମସ୍ତେ ଦୟନୀୟ ଅବସ୍ଥାରେ ଅଛୁ ବୋଲି କହିଛନ୍ତି।