କେବିସି ମଞ୍ଚରେ ‘ଦୌଡ଼ରାଣୀ’: ଆଜି ହଟ୍‌ ସିଟ୍‌ରେ ନଜର ଆସିବେ ଦୂତୀ, ହିମା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ’ କୌନ୍‌ ବନେଗା କରୋଡପତି(କେବିସି)ରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହିମା ଦାସ। ସୋନି ଚ୍ୟାନେଲର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ଶୁକ୍ରବାର ପ୍ରସାରିତ ହେବାକୁ ଥିବା କର୍ମବୀର ଏପିସୋଡ୍‌ରେ କ୍ରିକେଟର ସେହଓ୍ବାଗ୍‌ଙ୍କ ସହ ଉଭୟ ନଜର ଆସିବେ। ରିଲିଜ କରାଯାଇଥିବା ପ୍ରୋମୋ ଭିଡିଓରେ ଏହାର କିଛି ଝଲକ ଦେଖିବାକୁ ମିଳୁଛି।

ଓଡ଼ିଶାର ଯାଜପୁର ଜିଲାରେ ଜନ୍ମିତ ଦୂତି ମହିଳାଙ୍କ ୧୦୦ ମିଟର ଦୌଡ଼ରେ ନ୍ୟାଶନାଲ ଚ୍ୟାମ୍ପିୟନ ହୋଇଛନ୍ତି। ଏପରିକି ସେ ସମର୍‌ ଅଲମ୍ପିକ୍ସରେ ୧୦୦ ମିଟର ଦୌଡ଼ ଲାଗି ଯୋଗ୍ୟ ବିବେଚିତ ହୋଇଥିବା ଭାରତର ତୃତୀୟ ମହିଳା। ଖେଳ ବ୍ୟତିତ ଚଳିତ ବର୍ଷ ଦୂତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ କରିଥିବା ଖୁଲାସା ଅନେକଙ୍କୁ ଚକିତ କରିଦେଇଥିଲା। ଜଣେ ଖେଳାଳି ହିସାବରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିର ସଦସ୍ୟ ହେବାର ସେ ପ୍ରଥମ ମହିଳା ପାଲଟିଛନ୍ତି।

ସେହିଭଳି ଆସାମର ହିମା ଢିଙ୍ଗ ଏକ୍ସପ୍ରେସ୍‌ ନାମରେ ପରିଚିତ। ୪୦୦ ମିଟର ଦୌଡ଼ରେ ୫୦.୭୯ ସେକେଣ୍ଡର ରେକର୍ଡ କରିଛନ୍ତି। ୨୦୧୮ ଏସିଆନ୍‌ ଗେମ୍ସରେ ଏଭଳି ରେକର୍ଡ କରିଥିଲେ। ଏହାପରେ ହିମା ଆଇଏଏଏଫ୍‌ ଓ୍ବାଲ୍ଡ ୟୁ୨୦ ଚ୍ୟାମ୍ପିଆନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ମହିଳା ହେଉଛନ୍ତି ହିମା।

କେବସିର ଏପିସୋଡରେ ଦୂତୀ ଏବଂ ହିମା ନିଜର ସଂଘର୍ଷ ଏବଂ ଖେଳ ପାଇଁ ଦେଖିଥିବା ସ୍ବପ୍ନ ବିଷୟରେ କହୁଥିବା ଦେଖିବାକୁ ମିଳିବ।

Share