କେବଳ ଖାଦ୍ୟକୁ ସ୍ବାଦିଷ୍ଟ ନୁହେଁ ବରଂ ଦୃଷ୍ଟି ଶକ୍ତିକୁ ବି ବଢ଼ାଇଥାଏ ଟୋମାଟୋ

ଆଜିକାଲି ଦୈନନ୍ଦିନ ଜୀବନରେ ଲୋକମାନେ କାର୍ଯ୍ୟବ୍ୟସ୍ତ ରହୁଥିବା ବେଳେ ଫିଟ୍‌ ରହିବା ଜରୁରୀ ହୋଇପଡ଼ିଛି। ଭଲ ସ୍ବାସ୍ଥ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଖାଇଥାନ୍ତି। ହେଲେ ଭିନ୍ନ ଭିନ୍ନ ପନିପରିବା ଓ ଫଳର ନିଜର ସ୍ବତନ୍ତ୍ର ଉପକାରୀ ଗୁଣ ରହିଛି। ଖାଦ୍ୟରେ ସ୍ବାଦ ବଢ଼ାଉଥିବା ଟମାଟୋ ଆଖିର ଦୃଷ୍ଟି ଶକ୍ତିକୁ ବଢ଼ାଇବା ସହ ପ୍ରାୟ ୫ ପ୍ରକାରର କ୍ୟାନ୍‌ସରଠାରୁ ମଧ୍ୟ ଦୂରେଇ ରଖିଥାଏ। ନିକଟରେ କରାଯାଇଥିବା ଗବେଷଣାରୁ ଏହା ଜଣାପଡ଼ିଛି।
ଦୃଷ୍ଟି ଶକ୍ତି ବୃଦ୍ଧି: ନିୟମିତ ଭାବେ ଟମାଟୋ ଖାଇଲେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ବୋଲି କୁହାଯାଏ। କାରଣ ଏଥିରେ ଥିବା ଭିଟାମିନ-ଏ ଆଖି ପାଇଁ ଜରୁରୀ। ଏଥିସହ ଟମାଟୋରେ ଆଣ୍ଟି- ଅକ୍ସିଡାଣ୍ଟସ୍‌ ରହିଥିବାରୁ ଏହା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
ହାର୍ଟକୁ ସୁସ୍ଥ ରଖେ: ଆଜିକାଲି ଖରାପ ଓ ବ୍ୟସ୍ତ ବହୁଳ ଲାଇଫଷ୍ଟାଇଲ ପାଇଁ ହାର୍ଟ ଆଟାକ ସମସ୍ୟା ଦେଖାଦେବା ସାଧାରଣ କଥା ହୋଇଗଲାଣି। ନିଜ ଦୈନନ୍ଦିନ ଖାଦ୍ୟରେ ଟମାଟୋକୁ ସାମିଲ କଲେ ଏହା ହାର୍ଟକୁ ସୁସ୍ଥ ରଖିଥାଏ। ଏକ ରିପୋର୍ଟ ଅନୁସାରେ ଯଦି ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଆପଣ ଟମାଟୋ ଖାଆନ୍ତି, ତେବେ ହାର୍ଟ ସମ୍ବନ୍ଧୀୟ ସମସ୍ତ ରୋଗ କମ୍‌ ହୋଇଥାଏ।
କ୍ୟାନସରରୁ ମୁକ୍ତି : ଟମାଟୋ ଖାଇବା ଦ୍ୱାରା ପ୍ରାୟ ୫ ପ୍ରକାରର କ୍ୟାନସରଠାରୁ ମୁକ୍ତି ମିଳିଥାଏ। ଯଥା ଲଙ୍ଗ୍ସ, ପ୍ରୋଷ୍ଟେଟ, ଓଭାରିୟନ, ବୋନ ଓ ଷ୍ଟୋମାକ କ୍ୟାନ୍‌ସର। ଟମାଟୋରେ କ୍ୟାନ୍‌ସର ପ୍ରତିରୋଧକାରୀ ଲାଇକୋପିନ ମିଳିଥାଏ। ଏହା ହାଇ ଇଣ୍ଟେକ କ୍ୟାନ୍‌ସରରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିଥାଏ।
ପାଚନ କ୍ରିୟା: ଅନିୟମିତ ଖାଦ୍ୟ ପାନୀୟ ଯୋଗୁ ବହୁ ଲୋକଙ୍କ ପାଚନ କ୍ରିୟା ସମସ୍ୟା ଦେଖାଦେଇଥାଏ। ଏଭଳି ଲୋକ ଟମାଟୋ ଖାଇଲେ ବହୁ ଲାଭ ମିଳିଥାଏ। ଏଥିରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।