କେନ୍ଦ୍ର ନିର୍ଦ୍ଦେଶରେ ବଦଳିଥିଲା ମାସ୍କ ଦାମ୍‌: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୬(ବ୍ୟୁରୋ)-ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ) କିଟ୍‌ ବିବାଦ ନେଇ ଶନିବାର ମୁହଁ ଖୋଲିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ପ୍ରଥମେ ରାଜ୍ୟକୁ ମନଇଚ୍ଛା ପିପିଇ କିଟ୍‌ ଓ ଭେଣ୍ଟିଲେଟର ମଗାଇ ଦେଇ ତାହାକୁ ରଖିବାକୁ ମନାକରିବା ଏବଂ କିଣାବିକାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଗଣମାଧ୍ୟମ ଏବଂ ବିରୋଧୀ ଦଳ ବାରମ୍ବାର ଅଭିଯୋଗ କରିବା ପରେ ମନ୍ତ୍ରୀ ନିଜ ମତ ରଖିଛନ୍ତି। ଶନିବାର ଏକ ଖବରଦାତା ସମ୍ମିଳନୀରେ ରାତାରାତି କାହିଁକି ମାସ୍କ ଦର ବଦଳିଥିଲା ସେନେଇ ମନ୍ତ୍ରୀ ତଥ୍ୟ ରଖିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରଥମେ ୧୦ ଟଙ୍କାରେ ମାସ୍କ କିଣିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ ଥିଲା। ହେଲେ ପରବର୍ତ୍ତୀ ସମୟରେ ୧୬ ଟଙ୍କାରେ ମାସ୍କ କିଣିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ୨୪ ମାର୍ଚ୍ଚରେ କେନ୍ଦ୍ରର ନିର୍ଦ୍ଦେଶ ଆସିବା ପରେ ମାସ୍କ କିଣା ଯାଇଥିବା ସେ କହିଛନ୍ତି। ରାଜ୍ୟ ସରକାର ମାସ୍କ କିଣାରେ ମହାଘୋଟାଲା କରିଥିବା ବିରୋଧୀଙ୍କ ଅଭିଯୋଗ ଉପରେ ମତ ରଖି ଦାସ କହିଥିଲେ, ସରକାର କେବେ ବି କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତିନାହିଁ। ତେଣୁ ଏଭଳିଏକ ସମ୍ବେଦନଶୀଳ ସମୟରେ କରୋନା ଯୋଦ୍ଧାଙ୍କ ମନୋବଳ ନ ଭାଙ୍ଗିବାକୁ ସେ କହିଥିଲେ। ରାଜ୍ୟ ସରକାର ଯାହା ବି କରିଛନ୍ତି କେନ୍ଦ୍ରର ଗାଇଡଲାଇନକୁ ଅନୁକରଣ କରି କରିଛନ୍ତି। ଡାକ୍ତର, ମେଡିକାଲ ଷ୍ଟାଫ, ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ଆଜି ଗର୍ବିତ ବୋଲି ମନ୍ତ୍ରୀ କହିଥିଲେ।