କେନ୍ଦ୍ରୀୟ ବିଦ୍ୟାଳୟ ଛାତ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: କର୍ତ୍ତୃପକ୍ଷଙ୍କ ଅଫିସ ଘେରାଉ କଲେ ଅଭିଭାବକ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଶନିବାର ଅଭିଭାବକମାନେ ଡେପୁଟି କମିଶନରଙ୍କ ଅଫିସ ଘେରାଉ କରିଛନ୍ତି। ପିଲାଙ୍କୁ ସ୍କୁଲରେ ମାନସିକ ନିର୍ଯାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିବା ସହ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ପ୍ରକାଶଯୋଗ୍ୟ, ଛାତ୍ରୀଜଣଙ୍କ ମଞ୍ଚେଶ୍ୱର ରେଲଓ୍ବେ କଲୋନୀରେ ପରିବାର ସହ ରହୁଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଯୁକ୍ତ ୨ ପଢ଼ୁଛନ୍ତି। ତାଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ବିନା କାରଣରେ ଗାଳିଗୁଲଜ କରନ୍ତି। ଏପରିକି ସହପାଠୀଙ୍କ ସହ କଥା ହେଲେ ପାଟି କରିବା ସହ ମାଡ଼ ମାରନ୍ତି। ଶୁକ୍ରବାର ଶିକ୍ଷୟିତ୍ରୀଜଣଙ୍କ ସାମାନ୍ୟ କଥାକୁ ନେଇ ମାଡ଼ ମାରିଥିଲେ। ଫଳରେ ଛାତ୍ରୀଜଣଙ୍କ ଅପରାହ୍ନ ସାଢ଼େ ୪ଟାରେ ବିଦ୍ୟାଳୟର ୩ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନ୍ୟ ଛାତ୍ରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ତାଙ୍କୁ ଚିକିତ୍ସାପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିବାରଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।