Categories: ରାଜ୍ୟ

କେନ୍ଦ୍ରୀୟ ଡେପୁଟେଶନରେ ଏସ୍‌.ଏନ. ଗିରିଶ, ଛୁଟିରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୦୨ ବ୍ୟାଚ ଆଇଏଏସ୍‌ ଅଧିକାରୀ ତଥା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ସଚିବ ଏସ.ଏନ୍‌. ଗିରିଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବା ସୂଚନା ମିଳିଛି। ସେହିପରି ୧୯୯୫ ବ୍ୟାଚ ଆଇଆରଏସ ଅଧିକାରୀ ସୋମନାଥ ହାଁସଦାଙ୍କୁ ଭୁବନେଶ୍ୱରରେ ନବରତ୍ନ କମ୍ପାନୀ ନାଲ୍‌କୋ ଚିଫ୍‌ ଭିଜିଲାନ୍ସ ଅଫିସର ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ୧୫ ଦିନିଆ ଛୁଟିରେ ଯାଇଥିବା ଜଣାପଡ଼ିଛି। ବିଧାନସଭା ଚାଲିଥିବା ସମୟରେ ପାଢୀଙ୍କ ଛୁଟି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପାଢୀ ସୋମବାରଠାରୁ ଛୁଟିରେ ଯାଇଥିବା ବେଳେ ଅଗଷ୍ଟ ୫ତାରିଖରେ କାର୍ଯ୍ୟରେ ଯୋଗଦେବେ ବୋଲି କୁହାଯାଉଛି। ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ଅସୀତ ତ୍ରିପାଠୀ ଅସ୍ଥାୟୀ ଭାବେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବେ। ସେହିପରି ୧୯୮୭ ବ୍ୟାଚର ଆଇଏଏସ୍‌ ରାଜେଶ ବର୍ମା କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ପଦରେ ରହିଥିଲେ। ବର୍ମା ଯିବା ପରେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି। ବିଧାନସଭା ଅଧିବେଶନ ଶେଷ ହେବା ପରେ ଆଇଏଏସ୍‌ ଏବଂ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହେବ ବୋଲି ଶୁଣିବାକୁ ମିଳୁଛି।