କେନ୍ଦ୍ରାପଡ଼ା ଜିଲା ଏବେ କରୋନା ହଟ୍‌ସ୍ପଟ୍‌: ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା

କେନ୍ଦ୍ରାପଡ଼ା ଅଫିସ, ୧ା୬: କେନ୍ଦ୍ରାପଡ଼ା ଜିଲା ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି । ଏପ୍ରିଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଇତିମଧ୍ୟରେ ଏହା ୧୦୦ ଟପିଛି। ସୋମବାର ଘୋଷଣା ହୋଇଥିବା ରାଜ୍ୟର ୧୫୬ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାର ୫୦ଜଣ ଅଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରୁ ୧୩୯ରେ ପହଞ୍ଚତ୍ଛି । ନୂତନ ଚିହ୍ନଟଙ୍କ ମଧ୍ୟରେ ଗୁଜରାଟରୁ ୩୬, ଚେନ୍ନାଇରୁ ଜଣେ, ଦିଲ୍ଲୀରୁ ୩, ମୁମ୍ବାଇରୁ ୮, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ଜଣେ ଲେଖାଏ କିଛି ଦିନ ପୂର୍ବେ ଜିଲାକୁ ଆସିଥିଲେ। ଏମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ଚିହ୍ନଟଙ୍କ ମଧ୍ୟରୁ ୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଯାଇ ଘରେ ରହିଥିଲେ। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚିହ୍ନଟ ଆକ୍ରାନ୍ତ ବ୍ୟକ୍ତି ବାହାରେ ଯାତାୟାତ କରିଥିବାରୁ ଏହି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ଚିହ୍ନଟ ଆକ୍ରାନ୍ତଙ୍କୁ ଛତାସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ସଙ୍ଗରୋଧ କେନ୍ଦ୍ରରେ ମାତ୍ର ୭ଦିନ ରଖାଯାଉଥିବାରୁ ସ୍ବାବ୍‌ ଟେଷ୍ଟ ହୋଇପାରୁ ନ ଥିବା ନେଇ କେନ୍ଦ୍ରରୁ ଫେରୁଥିବା ପ୍ରବାସୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ଡେରାବିଶ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ମହାକାଳପଡାର ଧର୍ମେଞ୍ଜୟ ପ୍ରଧାନ ଫୋନ ଯୋଗେ କହିଛନ୍ତି, ସ୍ବାବ୍‌ ଟେଷ୍ଟ ହୋଇପାରୁ ନ ଥିବାରୁ କରୋନା ଆକ୍ରାନ୍ତ କି ନୁହେଁ ସନ୍ଦେହରେ ଅଛନ୍ତି ା ନମୁନା ସଂଗ୍ରହ ଓ ରିପୋର୍ଟ ଆସିବା ପରେ ଅନ୍ତେବାସୀଙ୍କୁ ଛାଡିବା ପ୍ରସଙ୍ଗ ନେଇ ସଙ୍ଗରୋଧ କେନ୍ଦ୍ରର ସମସ୍ତ ଅନ୍ତେବାସୀ ଅନଶନରେ ବସିଛନ୍ତି। ଏ ସମ୍ପର୍କରେ ଜିଲାପାଳ ବର୍ମା କହିଛନ୍ତି, ଯେଉଁମାନଙ୍କର କରୋନା ଭୂତାଣୁ ସଂକ୍ରମଣ ନେଇ ଲକ୍ଷଣ ନାହିଁ, ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଯାଇ ସଙ୍ଗରୋଧ ନିୟମରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଜିଲାରେ ଚିହ୍ନଟ ୧୩୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୯ଜଣ ସୁସ୍ଥ ହୋଇଛନ୍ତି।