କେନ୍ଦ୍ରାପଡ଼ାରେ ଆଉ ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ/ମହାକାଳପଡ଼ା ୧୯।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଓ ମହାକାଳପଡା ବ୍ଲକ ଅଞ୍ଚଳରେ ୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମଙ୍ଗଳବାର ସୁଦ୍ଧା ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି।
ଡେରାବିଶ ବ୍ଲକ ମୁକୁନ୍ଦପୁର ନୋଡାଲ ପ୍ରାଥମିକ ସ୍କୁଲ ସଂଗରୋଧ କେନ୍ଦ୍ରରେ ଚେନ୍ନାଇ ଫେରନ୍ତା ରାଜକନିକା ଅଞ୍ଚଳର ୩ ଜଣ ଓ ମହାକାଳପଡାର ପଶ୍ଚିମବଙ୍ଗ ଫେରନ୍ତା ଜଣେ ବ୍ୟକ୍ତି କରୋନା ପଜିଟିଭ ବୋଲି ସୂଚନା ମିଳିଛି। ସେହିପରି ଏହି ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ଥିବା ପଶ୍ଚିମବଙ୍ଗ ଫେରନ୍ତା ୨ ଜଣ କରୋନା ଅକ୍ରାନ୍ତ ହୋଇଥିବା ସ୍ବାବ ରିପୋର୍ଟରୁ ଜଣାପଡିଛି। ଏଥିସହିତ ମହାକାଳପଡା ଦହିଢ଼ଇ ସଂଗରୋଧ କେନ୍ଦ୍ରରେ ରହୁଥିବା ମା’ ଓ ଝିଅ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆକ୍ରାନ୍ତମାନେ ପ୍ରବାସରୁ ଆସି ସଂଗରୋଧ କେନ୍ଦ୍ରରେ ଥିଲେ। କେନ୍ଦ୍ର ନିକଟରେ ସିଆରପିସି ଧାରା ୧୪୪ ଲାଗୁ ହୋଇଥିବାରୁ କଣ୍ଟେନମେଣ୍ଟ ଜୋନ୍‌ର ଆବଶ୍ୟକତା ନାହିଁ। ଆକ୍ରାନ୍ତଙ୍କ ସହ ସଂଗରୋଧ କେନ୍ଦ୍ରରେ ରହୁଥିବା ଅନ୍ୟମାନଙ୍କ ସ୍ବାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି।