କେନ୍ଦୁଝରରେ ପ୍ରତିଷ୍ଠା ହେବ କୋଭିଡ୍‌-୧୯ ହସ୍‌ପିଟାଲ: ବୁଝାମଣାପତ୍ର ସ୍ବାକ୍ଷରିତ

କେନ୍ଦୁଝର, ୭ା୪(ଡି.ଏନ୍‌.ଏ.)-କେନ୍ଦୁଝରଠାରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍‌ପିଟାଲ। ଏ ସମ୍ପର୍କରେ ସୋମବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ କେନ୍ଦୁଝର ଜିଲା ପ୍ରଶାସନ. ସିଡିଏମଓ ଏବଂ ଉକତ୍ଳ ହସ୍‌ପିଟାଲ ପ୍ରାଇଭେଟ ଲିଃ. ଭୁବନେଶ୍ୱର ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ଏହି ୨୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟର ସୁବିଧା ସହିତ ଆଇସିୟୁ ରହିବ। ଏହା ରାଜ୍ୟସ୍ତରୀୟ କୋଭିଡ୍‌-୧୯ ହସ୍‌ପିଟାଲର ମଡେଲ ଅନୁଯାୟୀ ହେବ। ବୁଝାମଣାପତ୍ରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଆଶିଷ ଠାକ୍‌ରେ ଓ ଉକତ୍ଳ ହସ୍‌ପିଟାଲ ପ୍ରାଇଭେଟ ଲିଃ ପକ୍ଷରୁ ସିଇଓ ସୟଦ୍‌ କମରନ ହୁସେନ, ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଅଶୋକ କୁମାର ଦାଶ ସ୍ବାକ୍ଷର କରିଥିଲେ। କେନ୍ଦୁଝର ସହର ଉପକଣ୍ଠ ରାଙ୍କିଠାରେ ଏହି ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। ଡିଏମ୍‌ଏଫ୍‌ ପାଣ୍ଠିରୁ ଏଥିନିମନ୍ତେ ଅର୍ଥ ଯୋଗାଇ ଦିଆଯିବ। କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଏବଂ ପଜିଟିଭ୍‌ ବାହାରିଥିବା ବ୍ୟକ୍ତିମାନଙ୍କର ଚିକତ୍ସା ଏହି ହସିପିଟାଲରେ କରାଯିବ। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଉକ୍ତ ହସ୍‌ପିଟାଲର ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହୋଇ କାର୍ଯ୍ୟକ୍ଷମ ଯୋଗ୍ୟ ହେବ ବୋଲି ଜିଲାପାଳ ଠାକ୍‌ରେ ସୂଚନା ଦେଇଛନ୍ତି। ବୁଝାମଣାପତ୍ର ସ୍ବାକ୍ଷର ସମୟରେ ଅତିରିକ୍ତ ଜିଲାପାଳ, ରାଜସ୍ବ ସନ୍ତୋଷ କୁମାର ନାୟକ, ପିଏ ଆଇଟିଡିଏ କେନ୍ଦୁଝର ନାରାୟଣ ମୁର୍ମୁ, ଜିଲା ମୁଖ୍ୟ ଚିକିସତ୍ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦାଶ, ଏଡିପିଏଚ୍‌ଓ (ଭିଭିଡି) ଡା. ଦେବେନ ଦାଶ, ଉକତ୍ଳ ହସ୍‌ପିଟାଲ ପ୍ରାଇଭେଟ ଲିଃର କର୍ମକର୍ତ୍ତା, ଡିଏମ୍‌ଏଫ୍‌ର କର୍ମକର୍ତ୍ତା ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।