କେନ୍ଦୁଝରରେ ପହଞ୍ଚିଲେ ସିଇସି ଟିମ୍‌

ଯୋଡ଼ା/କେନ୍ଦୁଝର, ୩୦ା୧୦(ଡି.ଏନ.ଏ./ସ୍ବ.ପ୍ର.): ସୁପ୍ରିମକୋର୍ଟ ଦ୍ୱାରା ଗଠିତ ସେଣ୍ଟ୍ରାଲ ଏମ୍‌ପାଓ୍ବାରଡ୍‌ କମିଟି ଖଣି ପ୍ରଭାବିତ ଅଞ୍ଚଳରେ ଡିଷ୍ଟ୍ରିକ ମିନେରାଲ ଫାଉଣ୍ଡେସନ (ଡିଏମଏଫ) ଟଙ୍କା କିପରି ଖର୍ଚ୍ଚ ହେଉଛି ଏହାର ତଦାରଖ ପାଇଁ ମଙ୍ଗଳବାର ରାତିରେ ଆସି କେନ୍ଦୁଝରରେ ପହଞ୍ଚିଛନ୍ତି। ସିଇସି ଟିମ୍‌ ପକ୍ଷରୁ ପି.ଭି ଜୟକ୍ରିଷ୍ଣନ, ମହେନ୍ଦ୍ର ବ୍ୟାସ, ଅମରନାଥ ସେଠୀ, ଏସ୍‌.କେ ପଟ୍ଟନାୟକ କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଣାପଡ଼ିଛି ା
କେବଳ ଯୋଡା ଖଣି ମଣ୍ଡଳରୁ ଚଳିତ ବର୍ଷ ପ୍ରାୟ ୩୨୦୦ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି ା ଏତଦବ୍ୟତୀତ ଖଣି ଖନନରେ ଅନିୟମିତତା କରିଥିବା ଖଣି ଗୁଡିକରୁ ପ୍ରାୟ ୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ବାବଦରେ ଆଦାୟ ହୋଇଛି। ଏହି ସମସ୍ତ ଟଙ୍କା ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରାଯିବାର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ଏହି ଟଙ୍କାକୁ କିପରି ଖର୍ଚ୍ଚ କରୁଛି ଏବଂ ପ୍ରଭାବିତ ଅଞ୍ଚଳରେ କେଉଁ ସବୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ସିଇସି କମିଟି ବୁଧବାର ତାହାର ତଦାରଖ କରିବ। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଡିଏମ୍‌ଏଫ୍‌ ଅର୍ଥ ବ୍ୟୟରେ ହେଉଥିବା ପ୍ରକଳ୍ପ ଗୁଡିକୁ କମିଟି ବୁଧବାର ପରିଦର୍ଶନ କରିବା ସହ ଅର୍ଥର ହିସାବ ଦେଖିବେ। ଯୋଡ଼ା ଖଣିମଣ୍ଡଳ ଗସ୍ତ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି। ଉଲ୍ଲେଖନୀୟ ଯେ, ଡିଏମ୍‌ଏଫ୍‌ ଟଙ୍କାର ସୁବିନିଯୋଗ ହେଉ ନ ଥିବା ଅଭିଯୋଗ ହେଉଥିବାରୁ କେନ୍ଦୁଝର ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି ା ପୂର୍ବରୁ ଏ ସମ୍ପର୍କରେ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଜିଲା ପ୍ରଶାସନକୁ ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜୁରୁଡି ଅଞ୍ଚଳର ସୁରେନ୍ଦ୍ରନାଥ ମହାନ୍ତି କହିଛନ୍ତି। ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ତାଙ୍କ ପ୍ରତିକ୍ରିୟାରେ ଖଣି ପ୍ରଭାବିତ ଅଞ୍ଚଳରେ କୌଣସି ଆଖି ଦୃଶିଆ ଜନହିତକର ପ୍ରକଳ୍ପ ଏପର୍ଯ୍ୟନ୍ତ ଠିକ ଭାବେ ହୋଇପାରିନାହିଁ ବୋଲି କହିଛନ୍ତି ା