କେନ୍ଦୁଝରରେ କରୋନା ସନ୍ଦିଗ୍ଧ ନେଇ ଚର୍ଚ୍ଚା

କେନ୍ଦୁଝର,୪।୩(ସ୍ବ.ପ୍ର.): ଆଣ୍ଡାମାନରୁ ଫେରିଥିବା ଜଣେ କରୋନା ସନ୍ଦିଗ୍ଧଙ୍କୁ ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ହରିଚନ୍ଦନପୁର ଡାକ୍ତରଖାନାର ଜଣେ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ନେଇ ଚର୍ଚ୍ଚା ଚାଲିଛି। ସନ୍ଦିଗ୍ଧ ଜଣକ ହରିଚନ୍ଦନପୁର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ସେ କିଛିଦିନ ହେବ ଆଣ୍ଡାମାନରୁ ଫେରି ଅସୁସ୍ଥ ଥିଲେ। ପରେ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାକୁ ଯାଇଥିବାବେଳେ ତାଙ୍କୁ କରୋନା ସନ୍ଦିଗ୍ଧରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଥିବାବେଳେ ସିଡିଏମଓ ଡା. ଅଶୋକ ଦାସ ତାଙ୍କୁ ଆଜ୍‌ମା ହୋଇଥିବା କହିଛନ୍ତି। ତେବେ ଏକ ଡାକ୍ତରୀ ଟିମ୍‌ ଯାଞ୍ଚ କରୁଥିବା ବେଳେ ରକ୍ତ ନମୁନା ଯାଞ୍ଚ ପାଇଁ ପଠାଯିବ କି ନାହିଁ ସେ ସମ୍ପର୍କରେ ଆଲୋଚନା ହେଉଛି।