କେନାଲକୁ ଖସିଲା ସ୍କୁଲ ଭ୍ୟାନ: ୧୧ ଛାତ୍ରୀଛାତ୍ର, ଡ୍ରାଇଭର ଆହତ

ନିମାପଡ଼ା, ୪।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଚାରିଛକ ଫାଣ୍ଡି ଅନ୍ତର୍ଗତ ବାହାରେଣ ପଞ୍ଚାୟତ ଓଡ଼ଗୁଆଁ ଗ୍ରାମ ରାସ୍ତାକଡ଼ରେ ସୋମବାର ସକାଳେ ଏକ ସ୍କୁଲ ଭ୍ୟାନ୍‌ ୧୧ ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା କେନାଲକୁ ଖସିପଡ଼ିବାରୁ ସମସ୍ତ ଛାତ୍ରୀଛାତ୍ରଙ୍କ ସମେତ ଗାଡ଼ି ଡ୍ର୍ରାଇଭର ଆହତ ହୋଇଛନ୍ତି। ଆହତମାନଙ୍କୁ ଚାରିଛକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଛାତ୍ରୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ଅଟକ ରଖି ମାଡ଼ ମାରିଛନ୍ତି। ଖବର ପାଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍କୁଲ ଭ୍ୟାନ୍‌କୁ ଜବତକରି ତଦନ୍ତ ଚଳାଇଛି। ତୁଳସୀପୁରସ୍ଥିତ ଏକ ଘରୋଇ ଶିକ୍ଷାକେନ୍ଦ୍ରର ଏହି ସ୍କୁଲ ଭ୍ୟାନ୍‌ ବୋଲି ଜଣାପଡ଼ିଛି।