Categories: ଖେଳ

କେକେଆର ସହ ଖେଳି ଅବସର ନେବାକୁ ଚାହେଁ: ରସେଲ

ନୂଆଦିଲ୍ଲୀ,୩।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ସହ ଖେଳି ଅବସର ନେବାକୁ ଚାହେଁ ବୋଲି ଓ୍ବେଷ୍ଟଇଣ୍ଡିଜ ଧୂଆଁଧାର ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ କହିଛନ୍ତି। କ୍ୟାରିୟରର ଶେଷ ମ୍ୟାଚ୍‌ କୋଲକାତା ତରଫରୁ ଖେଳିବାକୁ ଚାହେଁ ବୋଲି ୩୨ ବର୍ଷୀୟ ରସେଲ କେକେଆରର ଅଫିସିଆଲ ଅନଲାଇନ୍‌ ଶୋ ‘ନାଇଟ୍‌ ଅନ୍‌ପ୍ଲଗ୍‌ଡ’ରେ ଅଂଶଗ୍ରହଣ କରି କହିଛନ୍ତି। କୋଲକାତା ସହ ଖେଳି ବହୁତ ରୋମାଞ୍ଚକ ଭରା ଅନୁଭବ ପାଇଛି। କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ପାଇଁ ଖେଳିଛି। ତେବେ ଇଡେନ ଗାର୍ଡେନରେ କୋଲକାତା ପାଇଁ ଆଇପିଏଲ ଖେଳିବାର ରୋମାଞ୍ଚ ଓ ମଜା ଅଲଗା। ଏହି ଅନୁଭୂତିର ତୁଳନା ନାହିଁ ବୋଲି ନିଜ ହୋମ୍‌ ଗ୍ରାଉଣ୍ଡ ଇଡେନ ଗାର୍ଡେନ ସମ୍ପର୍କରେ ମତ ରଖି ରସେଲ ଏହି କଥା କହିଛନ୍ତି। ଏହି ଗ୍ରାଉଣ୍ଡରେ ମୋତେ ବହୁତ ସ୍ବାଗତ କରାଯାଇଥାଏ। ଏହା ମଧ୍ୟ ଚାପ ସୃଷ୍ଟି କରିଥାଏ। କିନ୍ତୁ ଏହା ସକାରାତ୍ମକ ଚାପ ଓ ଭଲ ଖେଳିବାକୁ ଏହା ପ୍ରେରଣା ଦେଇଥାଏ। ଇଡେନ ଗାର୍ଡେନର ଦର୍ଶକ ଆମକୁ ବହୁତ ସମର୍ଥନ କରିଥାନ୍ତି। ତେଣୁ ଏହି ଗ୍ରାଣ୍ଡରେ କୋଲକାତା ପାଇଁ ଖେଳି ଅବରସ ନେବାକୁ ଚାହେଁ। କ୍ୟାରିୟରର ଶେଷ ପର୍ଯ୍ୟନ୍ତ ଆଇପିଏଲ ଖେଳିବାକୁ ଚାହେଁ। ଗତ ୬ଟି ଆଇପିଏଲ୍‌ ସଂସ୍କରଣରେ କୋଲକାତା ପାଇଁ ନିୟମିତ ଭାବେ ଖେଳି ଆସୁଛି ଓ ଏହାକୁ ମୁଁ ବେଶ୍‌ ଉପଭୋଗ କରିଥାଏ। କେତୋଟି ମ୍ୟାଚ୍‌ରେ ବିଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଇନିଂସରେ ସମାନ ସମର୍ଥନ ଦର୍ଶକଙ୍କଠାରୁ ମିଳିଥାଏ। ଏବର୍ଷ ମଧ୍ୟ କୋଲକାତା ପାଇଁ ଆଇପିଏଲ୍‌ ଖେଳିବାକୁ ଚାହେଁ ବୋଲି ରସେଲ କହିଛନ୍ତି। ପତ୍ନୀ ଓ କିଛି ଦିନ ତଳେ ଜନ୍ମଗ୍ରହଣ କରିଥିବା ଝିଅଠାରୁ ସେ କରୋନା ଭାଇରସ ଜନିତ ଲକ୍‌ଡାଉନ କାରଣରୁ ଦୂରରେ ରହିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ସବୁକିଛି ଠିକ୍‌ ହୋଇଯିବ ଓ ଜୀବନଧାରା ସ୍ବଭାବିକ ହେବ ବୋଲି ରସେଲ ଆଶା ପ୍ରକାଶ କରିଛନ୍ତି।

Share