କୃଷି ପରିବେଶକୁ ଧ୍ୱଂସ କରୁଛି କର୍ପୋରେଟ୍‌ ଶୈଳ୍ପିକ କୃଷି

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଗ୍ରୀନ୍‌ପିସ୍‌ ଇଣ୍ଡିଆ ଦ୍ୱାରା ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଏବଂ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସହଯୋଗରେ ମାଟି ସ୍ବାସ୍ଥ୍ୟର ସ୍ଥିତି ଏବଂ ଓଡ଼ିଶାରେ କୃଷିର ନିରନ୍ତରତା ଉପରେ ଏକ ପରାମର୍ଶ ସଭା ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ କୃଷି ପରିବେଶର ଧ୍ୱଂସ ସାଧନ ପାଇଁ କର୍ପୋରେଟ ନିୟନ୍ତ୍ରିତ ଶୈଳ୍ପିକ କୃଷିକୁ ଦାୟୀ କରିଥିଲେ। ଯଦି ଆମେ କୃଷିର ଅର୍ଥନୈତିକ ଏବଂ ପାରିବେଶିକ ନିରନ୍ତରତାକୁ ରକ୍ଷା କରିବାକୁ ଚାହୁଁ, ତେବେ କର୍ପୋରେଟ କୃଷି ନୁହେଁ, ସମବାୟ କୃଷି ଲୋଡ଼ା ବୋଲି ସାମନ୍ତରା ଗୁରୁତ୍ୱାରୋପ କରିଥିଲେ। ଓୟୁଏଟି ମୃତ୍ତିକା ବିଶେଷଜ୍ଞ ପ୍ରଫେସର ଆର.କେ. ରାଉତ କହିଥିଲେ, ଜମିରେ ଅତ୍ୟଧିକ କୃଷି ରସାୟନ ବ୍ୟବହାର ମାଟିର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହାଦ୍ୱାରା ଆମର ଜଳଉତ୍ସ, ଜୈବ ସନ୍ତୁଳନ ଏବଂ ବାୟୁମଣ୍ଡଳ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ମାଟିର ସ୍ବାସ୍ଥ୍ୟ ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ଗ୍ରୀନ୍‌ପିସ୍‌ ଇଣ୍ଡିଆର ବରିଷ୍ଠ ପ୍ରଚାରକ ଇସ୍ତେୟାକ ଅହମଦ କହିଥିଲେ, ଜୀବନ୍ତ ମାଟିର ପାରିବେଶିକ ସ୍ଥିତି ବୃକ୍ଷଲତାଗୁଡ଼ିକୁ ଏକ ସୁସ୍ଥ ମାଧ୍ୟମ ଦେଇ ଲାଳନ ପାଳନ କରେ। ଜୀବିତ ମାଟି ଅଭିଯାନ ମାଧ୍ୟମରେ ଗ୍ରୀନ୍‌ପିସ୍‌ ଇଣ୍ଡିଆ ମାଟିର ସ୍ବାସ୍ଥ୍ୟ ପ୍ରସଙ୍ଗ ଉପରେ ଏକ ଜାତୀୟ ବିତର୍କର ସୂତ୍ରପାତ ସହ ଏହାର ନିର୍ଭରଯୋଗ୍ୟ ସମାଧାନ ଚିହ୍ନଟ ତଥା ଗୁରୁତ୍ୱ ପ୍ରଦାନ କରିବାକୁ ପ୍ରୟାସ କରୁଛି। ଏହି ଅବସରରେ ପ୍ରଫେସର ରାଧାମୋହନ ଏବଂ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଉପସ୍ଥିତ ଥିଲେ। ବହୁ ଜୈବିକ ଚାଷୀ ଓ କୃଷି ବିଶେଷଜ୍ଞ ଯଥା- ନଟବର ଷଡ଼ଙ୍ଗୀ, ଦେବଜିତ ମହାନ୍ତି, ଅନାଦି ଯାଦବ, ସୀମାଞ୍ଚଳ ଜୀ ଏବଂ ଅକ୍ଷୟ ବିଶ୍ୱାଳ, ବିଶ୍ୱଜିତ ମହାନ୍ତି, ଗିରି ରାଓ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜ୍ୟରେ ରାସାୟନିକ କୃଷିର ପାରିବେଶିକ, ସାମାଜିକ, ଆର୍ଥନୀତିକ ଏବଂ ସାଂସ୍କୃତିକ ପ୍ରଭାବ ସମ୍ପର୍କରେ ମୌଳିକ ଜ୍ଞାନର ବିକାଶ ଲାଗି ଏହି ସଭାରେ ବିଭିନ୍ନ ଭାଗୀଦାର ଯଥା ଚାଷୀ, କୃଷି ବିଶେଷଜ୍ଞ, ସମ୍ପୃକ୍ତ ସରକାରୀ ଅଧିକାରୀ, ସିଏସ୍‌ଓ ପ୍ରତିନିଧି ଏବଂ ପ୍ରଭାବିତ ଜନସାଧାରଣ ଯୋଗ ଦେଇଥିଲେ।