Categories: ବାଣିଜ୍ୟ

କୃଷି କ୍ଷେତ୍ରକୁ ଆଶ୍ୱସ୍ତି;୧ କୋଟିରୁ ଊର୍ଦ୍ଧ୍ୱ ନଗଦ ଦେଣନେଣ ଉପରେ ଲାଗିବନି ଟିଡିଏସ୍‌

ନୂଆଦିଲ୍ଲୀ,୧୮-୯: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୃଷି କ୍ଷେତ୍ରକୁ ଆଶ୍ୱସ୍ତ କରିବାକୁ ଯାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ସେମାନଙ୍କ ଫସଲର ମୂଲ୍ୟ ମିଳିବାରେ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଟିଡିଏସ୍‌କୁ ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ଫସଲ ମଣ୍ଡି କମିଟି(ଏପିଏମ୍‌ସି) ଜରିଆରେ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ନେଣଦେଣ ଲାଗି ଟିଡିଏସ୍‌ କଟାଯିବ ନାହିଁ ବୋଲି ସରକାର କହିଛନ୍ତି। ୧ କୋଟି ଟଙ୍କାରୁ ଅଧିକ ନଗଦ ନେଣଦେଣ ଉପରେ ୨ ପ୍ରତିଶତ ଟିଡିଏସ୍‌ କାଟିବା ଲାଗି ସାଧାରଣ ବଜେଟରେ ଘୋଷଣା କରାଯାଇଥିଲା। ଚଳିତ ମାସ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ସାରା ଦେଶର ମଣ୍ଡିଗୁଡ଼ିକ ପକ୍ଷରୁ ବିରୋଧ କରାଯାଉଥିଲା। ବ୍ୟବସାୟୀଙ୍କ କହିବାନୁଯାୟୀ ଚାଷୀଙ୍କ ଆୟ ଏମିତିରେ ଆୟକର ମୁକ୍ତ ରହିଛି। ଟିଡିଏସ୍‌ ଆଦାୟ କରାଯିବା ଦ୍ୱାରା ବ୍ୟବସାୟୀଙ୍କ ଉପରେ ଅକାରଣରେ ଟିକସ ବୋଝ ପଡିବ। ନିକଟରେ ମଧ୍ୟପ୍ରଦେଶ ସରକାର କେନ୍ଦ୍ରକୁ ଚିଠି ଲେଖି ଟିଡିଏସ୍‌ ହଟାଇବାକୁ ଦାବି କରିଥିଲେ। ବ୍ୟାଙ୍କ ଦ୍ୱାରା ୨ ପ୍ରତିଶତ ଟିଡିଏସ୍‌ କଟାଯିବାକୁ ବିରୋଧ କରି ସୋମବାର ଶ୍ୟାମଲୀ ଗୁଡ ମଣ୍ଡିର ବ୍ୟବସାୟୀଙ୍କ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା।

Share