କୃଷି, ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ କଂଗ୍ରେସ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):କୃଷି, କୃଷକ ସମସ୍ୟା, ବେକାରି, ଆଇନଶୃଙ୍ଖଳା, ନାରୀ ସୁରକ୍ଷା, ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର ଅପରାହ୍ନରେ ବିଧାନସଭା ପରିସରରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ନରସିଂହ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକର ଅବସ୍ଥା ଭଲ ନାହିଁ। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ୫-ଟି ପ୍ରହସନ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିବୁ। କେଉଁଠି ପିସି କାରବାର ହେଉଛି ତାହା ଆମେ ପ୍ରମାଣ ଦେବୁ ବୋଲି ସେ କହିଛନ୍ତି। ରାଜ୍ୟରେ ନାବାଳିକା ନିର୍ଯାତନା ସୀମା ଟପିଲାଣିି। ସ୍କୁଲରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ବେକାରି ସମସ୍ୟା ଚରମ ସୀମାରେ ପହଞ୍ଚିଲାଣି। ନିଯୁକ୍ତି ନ ପାଇ ବେକାର ଯୁବକମାନେ ନିଶାଗ୍ରସ୍ତ ହେଉଛନ୍ତି। କାମଧନ୍ଦା ନ ପାଇ ଗରିବ ଲୋକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏଥିସହିତ ଯାଜପୁର ଜିଲାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ସରକାରଙ୍କ ଠାରୁ କୈଫିୟତ ତଲବ କରାଯିବ ବୋଲି ନରସିଂହ କହିଛନ୍ତି। ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ୫୯୦ ମିଲିମିଟର ବର୍ଷା ହେଲା। ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ୧୦୦୦ କୋଟି ମଗାଯାଇଥିଲା। ମିଳିଲା ମାତ୍ର ୪୦ କୋଟି। ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଇଛି। ଏ ସମସ୍ତ ବିଷୟକୁ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବାକୁ କଂଗ୍ରେସ ଯୋଜନା କରିଛି।