କୂଅଖୋଳା ନାଁରେ ଦୁର୍ନୀତି

ଦଶମନ୍ତପୁର,,୧୨।୧୦(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଦେଓଖୋଡକ ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଚାଷୀଙ୍କ ଜମିରେ ୩ଟି କୂଅ ଖୋଳାଯାଇଥିଲା। ଗ୍ରାମର ପୋଇଲି ମୁଦୁଲି ଯୋଡ଼ିଗଛ ନିକଟରେ ଥିବା ୬୦ ସେଣ୍ଟ ଜମିରେ ଚାଷ ପାଇଁ କୂଅ ଖୋଳିବାକୁ ପଞ୍ଚାୟତ କାର୍ଯ୍ୟାଳୟରୁ ଆବେଦନ କରି କାର୍ଯ୍ୟାଦେଶ ପାଇଥିଲେ। ଜଣେ ଠିକାଦାର ଏହାର ନିର୍ମାଣ କାମ ହାତକୁ ନେଇ ଫୁଟ ପିଛା ୧୬୦୦ ଟଙ୍କା ଲେଖାଏରେ ଖୋଳା ଆରମ୍ଭ କରିଥିଲେ। ୨୦୧୭ରୁ ଏହାର ଆରମ୍ଭ ହୋଇଥିଲେ ମଧ୍ୟ ଏବେବି ତାହା ଅଧାରେ ପଡ଼ିଛି। କିନ୍ତୁ କୂଅଖୋଳା ବାବଦକୁ ବିଲ୍‌ ସେ ହଡ଼ପ କରିଥିବା ଗ୍ରାମର ଗଙ୍ଗା ପୂଜାରୀ, ସୁଶାନ୍ତ ମୁଦୁଲି, ଜେଟି ମୁଦୁଲି, ଘେନେଇ ମୁଦୁଲି ଅଭିଯୋଗ କରିଛନ୍ତି। କୂଅ ଖୋଳା ହେଲେ ଜମିକୁ ପାଣି ମଡ଼ାଇ ଭଲ ଚାଷ କରିବାକୁ ଆଶା କରିଥିବା ପୋଇଲି ନିରାଶ ହୋଇଛନ୍ତି। ଗୁଜୁରାଣ ମେଣ୍ଟାଇବା ଚିନ୍ତା ଏବେ ତାଙ୍କୁ ଘାରିଛି। ଠିକାଦାର ଜଣକ ସରପଞ୍ଚ, ପିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ହାତଗୁଞ୍ଜା ଦେଇ ଏଭଳି ବିଲ୍‌ ଜାଲିଆତି କରିଥିବା ଚାଷୀ ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ ଏହି ଗାଁ ନୁହେଁ, ଦଶମନ୍ତପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିଭଳି କୂଅଖୋଳାରେ ଦୁର୍ନୀତି ହୋଇଛି। କେଉଁଠି କୂଅଖୋଳା ଅଧାରେ ପଡ଼ିଛି ତ ଅନ୍ୟ କେଉଁଠି ଆରମ୍ଭ ହିଁ ହୋଇନାହିଁ। ନିର୍ମାଣ ସ୍ଥାନକୁ ନ ଯାଇ ସରପଞ୍ଚ, ପିଇଓମାନେ କିପରି ବିଲ୍‌ ପାରିତ କରୁଛନ୍ତି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଗ୍ରାମବାସୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ପିଇଓ ବି. ଖୁଡୁପିଆଙ୍କୁ ଫୋନ୍‌ରେ ଯୋଗାଯୋଗ ଉଦ୍ୟମ ହୋଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ।