କୁଶୁନୁପୁରରେ ଅଗ୍ନିକାଣ୍ଡ: ୯ ପରିବାର କ୍ଷତିଗ୍ରସ୍ତ

କଣ୍ଟାପଡା,୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁଶୁନୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶନିବାର ରାତିରେ ଶୁକଦେବ ରାଉତଙ୍କ ଘରେ ଶର୍ଟ୍‌ଶର୍କିଟରୁ ନିଆଁ ଲାଗିଯାଇଥିଲା। ପରେ ପ୍ରହଲ୍ଲାଦ ରାଉତ, ସମୀର ରାଉତ ଓ ସନ୍ତୋଷ ରାଉତଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା। ଏଥିରେ ଶୁକଦେବ ଓ ପ୍ରହଲ୍ଲାଦଙ୍କ ଘର ପୋଡି ଯାଇଥିବାବେଳେ ସମୀର ଓ ସନ୍ତୋଷଙ୍କ ଗୁହାଳ ଓ ରୋଷେଇ ଘର ସମ୍ପୂର୍ଣ୍ଣ ପୋଡି ଯାଇଛି। ନିଆଁରେ ସୁରଜ ରାଉତ, ରେବତୀକାନ୍ତ ରାଉତ, ରାଜକିଶୋର ରାଉତ, ଶିଶିର ଭୋଇ ଓ ବାବୁଲି ଭୋଇଙ୍କ ରୋଷେଇ ଓ ଗୁହାଳଘର ପ୍ରଭାବିତ ହୋଇଥିଲା। ଖବରପାଇ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏ ନେଇ ରବିବାର ସକାଳୁ ତହସିଲ ପକ୍ଷରୁ ଅଧିକ କ୍ଷତିଗ୍ରସ୍ତ ୪ ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି। ଏହା ସହ କ୍ଷୟକ୍ଷତିର ବିବରଣୀ କଟକସଦର ଉପଜିଲାପାଳଙ୍କ ନିକଟକୁ ପଠାଯାଇଛି।