କୁଳିପୋଷ ବନାଞ୍ଚଳ ପକ୍ଷରୁ ସଚେତନତା ଶିବିର :ଜଙ୍ଗଲ ନିଆଁ ନିବାରଣ ଉପରେ ଗୁରୁତ୍ୱ

ଲହୁଣୀପଡା, ୧୫।୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଳକ ଡଳେଇସରଠାରେ କୁଳିପୋଷ ବନାଞ୍ଚଳ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ସରପଞ୍ଚ ବେଣୁଧର ନାଏକ ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ବିନୋଦ ବିହାରୀ ପାଉଲେ ଯୋଗଦେଇଥିଲେ । ସେକସନ ଫରେଷ୍ଟର କିଶୋର ପାତ୍ର ସଭାପତିତ୍ୱ କରିବା ସହିତ ସମସ୍ତଙ୍କୁ ସ୍ବାଗତ କରିଥିଲେ। କିଛି ଦିନ ପରେ ଗ୍ରୀଷ୍ମ ଋତୁ ଆସିବ। ସେହି ସମୟରେ ଜଙ୍ଗଲରେ ପ୍ରାୟତଃ ନିଆଁ ଲାଗିଥାଏ। କେତେକ ସ୍ଥାନରେ ମହୁଲ ଫୁଲ ସଂଗ୍ରହ କରିବାକୁ ଲୋକମାନେ ନିଆଁ ଲଗେଇ ଦେଇଥାନ୍ତି। ଫଳରେ ଜଙ୍ଗଲ ପୋଡି ଯିବା ସହିତ ଜଙ୍ଗଲରେ ଥିବା ଜଙ୍ଗଲଜାତ ଦ୍ରବ୍ୟ ନଷ୍ଟ ହୋଇଥାଏ। ବହୁ ବନ୍ୟପ୍ରାଣୀ ମୃତ୍ୟୁବରଣ କରିଥାନ୍ତି। ତେଣୁ ଚଳିତବର୍ଷ କୌଣସି ପ୍ରକାର ମଧ୍ୟ ଜଙ୍ଗଲରେ ନିଆଁ ଲାଗିବାକୁ ଦେବାନାହିଁ ବୋଲି ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଶିବିରରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ଗ୍ରାମରେ ମୋବାଇଲ ନମ୍ବର ଥିବା ବ୍ୟାନର ଲଗାଯିବ। ସେହି ନମ୍ବରରେ ଫୋନ କରି ସୂଚନା ଦେବେ। ଯେଉଁ ଭିଏସ୍‌ଏସ୍‌ (ଗ୍ରାମ୍ୟ ସୁରକ୍ଷା ସମିତି) ଅଞ୍ଚଳର ଜଙ୍ଗଲରେ ନିଆଁ ନ ଲାଗିବ ସେମାନଙ୍କୁ ଆର୍ଥୀକ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ଗତବର୍ଷ ସ୍ବେଚ୍ଛାକୃତ ଭାବେ କୁମୁଣ୍ଡି ଗ୍ରାମର କମଳିନୀ ଏସଏଚଜି ନିଆଁ ଲିଭାରେ ସହଯୋଗ କରିଥିବାରୁ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିରରେ ପ୍ରାୟ ୧୫ଟି ଭିଏସଏସର କର୍ମକର୍ତ୍ତାଙ୍କ ସମେତ ଆଖପାଖ ଅଞ୍ଚଳର ଲୋକମାନେ ଯୋଗଦେଇଥିଲେ । ଶେଷରେ ଫରେଷ୍ଟର ପ୍ରତାପ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।