Categories: ଖେଳ

କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ହେବା ଦରକାର: ସେହ୍ବାଗ

ନୂଆଦିଲ୍ଲୀ, ୨୨।୮ (ପି.ଟି.)- ଖେଳାଳିଙ୍କ ମନୋବଳ ବଢ଼ାଇବାର ଦକ୍ଷତା କିମ୍ବଦନ୍ତୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନିକଟରେ ରହିଛି। ତେଣୁ ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ କୁମ୍ବଲେ ଜଣେ ଉପଯୁକ୍ତ ପାର୍ଥୀ। କିନ୍ତୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ପଦ ଲାଗି ପାଉଣା ବୃଦ୍ଧି କରିବା ଆବଶ୍ୟକ ରହିଛି ବୋଲି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି। ‘ମୁଁ ଭାବୁଛି ଅନିଲ କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ହୋଇପାରନ୍ତି। ସେ ଏଭଳି ଜଣେ ବ୍ୟକ୍ତି ଯିଏକି ଖେଳାଳି ଭାବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌ଙ୍କ ସହ ଭାବ ବିନିମୟ କରିଛନ୍ତି। ସେହିଭଳି କୋଚ୍‌ ଭାବେ ଯୁବ ଖେଳାଳିଙ୍କ ସହ ମିଶିଛନ୍ତି’ ବୋଲି ସେହ୍ବାଗ ଏଠାରେ ଏକ ନୂଆ ଆପ୍‌ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି। ସେହ୍ବାଗ ଆହୁରି ମଧ୍ୟ କହିଛନ୍ତି, ‘ଯେତେବେଳେ ସେ ଦଳକୁ ପ୍ରତ୍ୟାବର୍ତ୍ତନ (୨୦୦୭-୦୮ ଅଷ୍ଟ୍ରେଲିଆ ସିରିଜ) କରିଥିଲେ, ଅଧିନାୟକ କୁମ୍ବଲେ ତାଙ୍କ ରୁମ୍‌କୁ ଆସି କହିଥିଲେ ଆଗାମୀ ୨ଟି ସିରିଜ ପର୍ଯ୍ୟନ୍ତ ମୋତେ ବାଦ୍‌ ଦିଆଯିବ ନାହିଁ। ଜଣେ ଖେଳାଳିକୁ ଏହିଭଳି ମନୋବଳ ବଢ଼ାଇବାର ଆବଶ୍ୟକତା ରହିଥାଏ। କିନ୍ତୁ ଚୟନ କମିଟିର ଅଧ୍ୟକ୍ଷଙ୍କ ପାଉଣା ଏବେ ବାର୍ଷିକ ଏକ କୋଟି ଟଙ୍କା ରହିଛି। ଯଦି ବିସିସିଆଇ ଏଥିରେ ବୃଦ୍ଧି କରେ ତେବେ ଅଧିକରୁ ଅଧିକ ଖେଳାଳି ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ’ ବୋଲି ନଜଫଗଡ଼ର ନଓ୍ବାବ ଭାବେ ପରିଚିତ ସେହ୍ବାଗ ଏହା କହିଛନ୍ତି। ୨୦୧୭ରେ ବିସିସିଆଇ ସମ୍ପାଦକ ଓ ସ୍ବର୍ଗତ ଡ. ଏମ୍‌.ଭି. ଶ୍ରୀଧର (ଜିଏମ୍‌, କ୍ରିକେଟ୍‌ ଅପରେଶନ) ମୋତେ ଜାତୀୟ ଦଳର ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କରିବାକୁ କହିଥିଲେ। ତେଣୁ ସେତେବେଳେ ମୁଁ ଏହି ସମ୍ମାନଜନକ ପଦ ପାଇଁ ଆଦେଦନ କରିଥିଲି। କିନ୍ତୁ ଏଥର ମୋତେ କେହି କହି ନ ଥିବାରୁ ମୁଁ ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କଲି ନାହିଁ ବୋଲି ସେହ୍ବାଗ ଏହି ଅବସରରେ ପ୍ରକାଶ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୁରୁବରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ନେଇ ସେହ୍ବାଗ କହିଛନ୍ତି, ଯଦି ଭାରତ ୫ ଜଣ ବୋଲରଙ୍କୁ ନେଇ ଖେଳିବ ତାହାଲେ ଚୂଡ଼ାନ୍ତ ଏକାଦଶରେ ଅଜିଙ୍କ୍ୟ ରାହାନେଙ୍କୁ ସୁଯୋଗ ଦିଆଯିବା ଉଚିତ।

Share