କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ, ୮ଶହ ଅଭିଭାବକ ସାମିଲ

କୁଆଁରମୁଣ୍ଡା,୧୬।୧(ଡି.ଏନ.ଏ.)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶମତେ ଗୁରୁବାର ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ ହୋଇଥିଲା। ୮ଶହରୁ ଅଧିକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ସୁନ୍ଦରବଗିଚା ବୁଲିଦେଖିବାସହ ବିଦ୍ୟାଳୟର ପରିବେଶକୁ ଦେଖି ଆନନ୍ଦିତ ହୋଇଥିଲେ। ପରେ ଆୟୋଜିତ ବୈଠକରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ ଯୋଗଦେଇ ଅଭିଭାବକମାନଙ୍କ ପ୍ରେରଣା ଯୋଗୁ ସବୁ କିଛି ସମ୍ଭବ ହେଉଛି ବୋଲି କହିଥିଲେ। ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ବିକାଶ ଅଧିକ କରିବାକୁ ବିଦ୍ୟାଳୟର ପରିବେଶକୁ ସୁନ୍ଦର କରାଯାଇଛି। ତା’ ସହିତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କର ଗୁରୁ ଦାୟିତ୍ୱ ରହିଥିବାବେଳେ ଅଭିଭାବିକା/ଅଭିଭାବକମାନଙ୍କର ମଧ୍ୟ ସହଯୋଗ ରହିଛି। ଛାତ୍ରୀଛାତ୍ର କିଭଳି ନିୟମିତ ଭାବେ ବିଦ୍ୟାଳୟ ଆସିବେ ସେଥିପ୍ରତି ମା’ବାପା ଯନତ୍ବାନ ହେବା ଆବଶ୍ୟକ ବୋଲି ପ୍ରଧାନଶିକ୍ଷକ ସାମଲ ଉପସ୍ଥିତ ଅଭିଭାବିକା/ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସଦାନନ୍ଦ ପଧାନ ଯୋଗ ଦେଇ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଅଭିଭାବିକା/ଅଭିଭାବକଙ୍କୁ ଧନ୍ୟବାଦ ଦେଇଥିଲେ। ଜାତି/ଜନଜାତିବହୁଳ ଅଞ୍ଚଳରେ ଗଢି ଉଠିଥିବା ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ଭଳି ମାତାପିତାମାନଙ୍କର ପୂର୍ଣ୍ଣ ସହଯୋଗ କାରଣରୁ ଛାତ୍ରୀଛାତ୍ର ପ୍ରତିବର୍ଷ ୩ୟ, ୫ମ ଏପରିକି ମାଟ୍ରିକ ପରୀକ୍ଷାରେ ଜିଲାରେ ଉତ୍ତମ ଫଳାଫଳ କରିଆସୁଛନ୍ତି ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ପଧାନ ବକ୍ତବ୍ୟରେ କହିଛନ୍ତି। ଏହି ଅବସରରେ ଛାତ୍ରୀଛାତ୍ରଙ୍କର ଷାଣ୍ମାସିକ ପରୀକ୍ଷା ଫଳ,ଏଲଇପି, ଉଜ୍ଜ୍ୱଳ, ଉତ୍‌ଥାନ କ୍ଲାସ ସମ୍ପର୍କରେ ଉପସ୍ଥିତ ଅଭିଭାବିକା/ଅଭିଭାବକଙ୍କ ସହ ଶିକ୍ଷୟିତ୍ରୀ/ଶିକ୍ଷକମାନେ ଆଲୋଚନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉଦେଇ ଟପ୍ପୋ, ସିଆର୍‌ସିସି ଯାଗେଶ୍ୱର ରାଏଙ୍କ ସହ ଅନ୍ୟ ଶିକ୍ଷୟିତ୍ରୀ/ଶିକ୍ଷକମାନେ ଉପସ୍ଥିତ ଥିଲେ।