କୁନି ବାହାଘର ହବ ତ

ସୁଧାକର ଦାସ
ନିର୍ବାଚନ ଫଳାଫଳ ବାହାରିବ ୨୩ ତାରିଖରେ। ସ୍ପଷ୍ଟ ହେଇଯିବ କିଏ ଜିତିଲା, କିଏ ହାରିଲା। ନିଷ୍ପତ୍ତି ହେଇଯିବ କାହା ହାତକୁ ଯିବ କ୍ଷମତା ଆଉ କିଏ ବସିବେ ବିରୋଧୀ ଆସନରେ। ପରିଷ୍କାର ହେଇଯିବ ଲୋକମତ କାହା ସପକ୍ଷରେ ଆଉ କାହା ବିପକ୍ଷରେ…।
ହେଲେ ଗୋଟିଏ କଥା କେବେ ସ୍ପଷ୍ଟ ଆଉ ପରିଷ୍କାର ହେବ, ତା’କୁ ମତେ ପ୍ରତୀକ୍ଷା କରିବାକୁ ପଡିବ। କଥାଟି ହେଲା…
ଆମ ଗାଁର ଦୀନବନ୍ଧୁ ଓ କୃପାସିନ୍ଧୁ ଦୁଇ ଭାଇ। କୃପାସିନ୍ଧୁର ପିଲାପିଲି କିଛି ନାହିଁ। ଦୀନବନ୍ଧୁର ତିନିବର୍ଷ ଭିତରେ ଲାଗ ଲାଗ ଦୁଇଟି ଝିଅ ଜନ୍ମ ହେଲେ। ପୁଣି ବର୍ଷ ତିନିଟା ପରେ ଦୀନବନ୍ଧୁର ସ୍ତ୍ରୀ ଗର୍ଭବତୀ ହେଲା। ଦୀନବନ୍ଧୁ ଯେତେବେଳେ ସ୍ତ୍ରୀକୁ ନେଇ ତା’ ପେଟ ୱାଶ୍‌ କରିବାକୁ ବାହାରିଲା କୃପାସିନ୍ଧୁ ଆଉ ତା’ ସ୍ତ୍ରୀ ବାଟ ଓଗାଳିଲେ। କହିଲେ- ପୁଅ ହଉ କି ଝିଅ, ଯାହା ହବ ଆମ କୋଳକୁ ଟେକିଦେବୁ। ଭାଇଭାଉଜଙ୍କ ଦମ୍ଭରେ ଦୀନବନ୍ଧୁ ସମ୍ଭାଳିଗଲା ଆଉ ୭ ମାସ ପରେ ତା’ର ଝିଅଟିଏ ହେଲା। ତା’ ନାଁ ରଖାଗଲା କୁନି। ଇଏ ଆଜକୁ ପ୍ରାୟ ୧୯-୨୦ ବର୍ଷ ତଳର କଥା। ସେତେବେଳେ ଅବଶ୍ୟ ଦୀନବନ୍ଧୁ ଓ କୃପାସିନ୍ଧୁ ଗୋଟିଏ ଓଳି ତଳେ ରହୁଥିଲେ। ଅପେକ୍ଷା କରାଗଲା, କୁନି କ୍ଷୀର ଛାଡିବା ପରେ କୃପାସିନ୍ଧୁ ପାଖକୁ ଚାଲି ଆସିବ। ତା’ ତ ହେଲାନି ବରଂ ବର୍ଷ ପାଞ୍ଚଟା ଭିତରେ ଦୁଇଭାଇ ଅଲଗା ହେଇଗଲେ। ଭିନ୍ନେ ହବା ଦିନ କୃପାସିନ୍ଧୁ କିନ୍ତୁ ଜୋର୍‌ ଦେଇ କହିଥିଲା- କୁନି ତୋ ପାଖରେ ରହୁ କି ମୋ ପାଖରେ…ତା’ ବାହାଘର ମୁଁ କରିବି, ଯାବତୀୟ ଖର୍ଚ୍ଚ ମୋର। ୟା ଭିତରେ ଦୀନବନ୍ଧୁର ବଡ଼ ଦୁଇ ଝିଅ ରମା ଓ ଭବାନୀଙ୍କର ବାହାଘର ସରିଛି। ଝିଅଦୁହିଁଙ୍କୁ ବାହା ଦବା ପାଇଁ ଦୀନବନ୍ଧୁ ନିଜ ଭାଗର ପୈତୃକ ସମ୍ପତ୍ତି ସବୁ ବିକିଭାଙ୍ଗି ଦେଇଛି। ଏବେ ତା’ ପାଖରେ ସମ୍ବଳ କେବଳ ଘରଡିହ ଖଣ୍ଡକ। ଚାରିମାସ ତଳେ କୁନି ପାଇଁ ଆସିଥିଲା ଗୋଟେ ବାହାଘର ପ୍ରସ୍ତାବ। ଦୁଇପକ୍ଷ ରାଜି ହେଲେ। ଯୌତୁକ ବାବଦକୁ ବରପକ୍ଷକୁ କେତେ ଟଙ୍କା ଦିଆଯିବ, ତା’ ବି ସ୍ଥିର ହେଲା। ଏ ସବୁ କାମରେ କୃପାସିନ୍ଧୁର ସହଯୋଗ ଦୀନବନ୍ଧୁର ମନୋବଳ ବଢ଼ଉଥିଲା। ଆଉ ଦୀନବନ୍ଧୁ ନିଶ୍ଚିନ୍ତ ଥିଲା ଯେ, ତା’ ଜବାବ ମୁତାବକ କୁପାସିନ୍ଧୁ କୁନି ବାହାଘରର ସକଳ ଭାର ବହନ କରିବ। ଆଉ ସେଦିନ ଦୀନବନ୍ଧୁ ପୂରା ଆଶ୍ୱସ୍ତ ହେଇଗଲା, ଯୋଉଦିନ କୃପାସିନ୍ଧୁ ଗାଁ ଲୋକଙ୍କ ସାଙ୍ଗରେ ତା’ ଭାଗର ଦୁଇମାଣ ଜମି ବିକିବା ପାଇଁ ମୂଲଚାଲ ଆରମ୍ଭ କଲା। ଜମି ବିକ୍ରିରୁ ଯାହା ପଇସା ମିଳିବ, ସେ ସବୁକିଛି କୁନି ବାହାଘରରେ ଖର୍ଚ୍ଚ ହବ ବୋଲି କୃପାସିନ୍ଧୁ ତା’ ବନ୍ଧୁବାନ୍ଧବଙ୍କ ଆଗରେ ବି କହୁଥିଲା।
ଏତିକିବେଳେ ଆସିଲା ନିର୍ବାଚନ। କୃପାସିନ୍ଧୁ ଚାଳରେ ଉଡିଲା ଗୋଟିଏ ଦଳର ପତାକା ତ ଦୀନବନ୍ଧୁ ଚାଳରେ ଆଉ ଗୋଟିଏ ଦଳର। ଦୀନବନ୍ଧୁର କାନ୍ଥରେ ଗୋଟିଏ ଦଳର ପୋଷ୍ଟର ତ କୃପାସିନ୍ଧୁର କାନ୍ଥରେ ଆଉ ଗୋଟିଏ ଦଳର। ସାରା ଗାଁ ଭିତରେ ଦୁଇଟା ଦଳ। ଗୋଟିଏ ପଟରେ କୃପାସିନ୍ଧୁ ଅନ୍ୟ ପଟରେ ଦୀନବନ୍ଧୁ। ଦୁଇ ଦଳଙ୍କ ଭିତରେ ଛକାପଞ୍ଝା, କଥା କଟାକଟି…।
ଠିକ୍‌ ଭୋଟ ପୂର୍ବଦିନ ଗାଁରେ ଟଙ୍କାବଣ୍ଟା ଘଟଣାକୁ ନେଇ ପ୍ରକାଶ ପାଇଲା ଉତ୍ତେଜନା। ରାତି ଅନ୍ଧାରରେ ଘୋ-ଘା, ଚିତ୍କାର, ମରଣାନ୍ତକ ଆକ୍ରମଣ, ଗାଁ ଭିତରେ ଦୌଡିଲା ଆମ୍ବୁଲାନ୍ସ। ପରଦିନ ସକାଳୁ ଜଣାପଡିଲା ସେଇ ଅନ୍ଧାର ଭିତରେ ଦୀନବନ୍ଧୁର ଟାଙ୍ଗିଆ ମାଡ଼ରେ ଗୁରୁତର ଅସୁସ୍ଥ ହେଇ କୃପାସିନ୍ଧୁ ପଡିଛି ବଡ଼ମେଡିକାଲରେ।
ୟା ଭିତରେ ନିର୍ବାଚନ ସରିଯାଇଛି। ଖାଲି ଯାହା ଫଳାଫଳ ଘୋଷଣାକୁ ଅପେକ୍ଷା। ଆଉ କେଇଟା ଦିନ ପରେ କୃପାସିନ୍ଧୁ ଓ ଦୀନବନ୍ଧୁଙ୍କ ଚାଳରୁ ପବନରେ ଉଡିଯିବ ଦଳୀୟ ପତାକା, କାନ୍ଥରୁ କବାଟରୁ ଚିରିଯିବ ପୋଷ୍ଟର। ହେଲେ କ’ଣ ହବ କୁନିର? କ’ଣ ହବ କୃପାସିନ୍ଧୁ ଦୀନବନ୍ଧୁକୁ ଦେଇଥିବା ଭରସାର? ସତରେ, ଭୋଟ ଗଣତି ଦିନ ଏସବୁ କଥା ସ୍ପଷ୍ଟ ହେଇଯା’ନ୍ତା କି! ଜଣା ପଡିଯା’ନ୍ତା କି କୃପାସିନ୍ଧୁ ଏବେ ବି ନିଜର ଜବାବ ରଖିବାକୁ ପ୍ରସ୍ତୁତ କି ନା…!!
ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ପ୍ରକ୍ରିୟା ହେଉଛି ନିର୍ବାଚନ। ନିର୍ବାଚନ ଆୟୋଗ ଏଥରର ନିର୍ବାଚନକୁ ଘୋଷଣା କଲେ ଗଣତନ୍ତ୍ରର ମହାପର୍ବ। ଏଇ କ’ଣ ମହାପର୍ବର ସୂଚନା ଯାହା ବିଭେଦ, ଅସୂୟା, ହିଂସା ସୃଷ୍ଟି କରି ମାନବିକତା, ସୌହାର୍ଦ୍ଦ୍ୟ ଆଉ ଭ୍ରାତୃତ୍ୱକୁ ପରାହତ କରେ?
କେଜାଣି, ହୁଏତ କୁନି ପାଖରେ ଏହାର ଉତ୍ତର ଥାଇପାରେ!! କାରଣ, ଏଥର କୁନି ଥିଲା ଫାଷ୍ଟ ଟାଇମ୍‌ ଭୋଟର୍‌।
ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri