Categories: ଗଞ୍ଜାମ

କୁଠାରି ମନ୍ଦିର ସମ୍ପତ୍ତି ହଡ଼ପ ମାମଲା :  ବିଧାୟକ ରମେଶଙ୍କ ସମେତ ୫ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୩ା୧୧-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ନିରଞ୍ଜନ ଜେନା ଶନିବାର ଟାଉନ ଥାନା ଅନ୍ତର୍ଗତ ଗେଟବଜାର ଛକରେ ଥିବା କୁଠାରି ମନ୍ଦିର ସମ୍ପତ୍ତି ହଡପ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳି ନ ଥିବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ତାଙ୍କ ବାପା ଅରକ୍ଷିତ ଜେନା, ବ୍ରହ୍ମପୁର ମହାନଗର ନିଗମ ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ, ରଞ୍ଜିତ କୁମାର ନାୟକ ଓ ପ୍ରଶାନ୍ତ ପଟ୍ଟନାୟକଙ୍କୁ ରାୟରେ ନିର୍ଦ୍ଦୋଷ ବୋଲି ଉଲ୍ଲେଖ କରିଛନ୍ତି।
ରମେଶ ଓ ଉପରୋକ୍ତ ତାଙ୍କ ସହଯୋଗୀମାନେ ୭ ବର୍ଷ ଧରି କୁଠାରି ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ସମୟରେ ମନ୍ଦିରର ୩ କୋଟି ୮୭ ଲକ୍ଷ ଟଙ୍କା ହଡପ କରିଥିଲେ। ଏପରିକି ପୂଜକମାନଙ୍କୁ ଗୋତି ଶ୍ରମିକ ଭାବେ ଖଟାଉଥିଲେ ବୋଲି ପୂଜକ ସୁବାସ ବେହେରା, ରାମ ବେହେରା ଓ ନିରଞ୍ଜନ ବେହେରା ୨୦୧୬ ଏପ୍ରିଲ ୨୬ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୬୨/୧୬ରେ ରମେଶ, ତାଙ୍କ ବାପା ଅରକ୍ଷିତଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ପରେ ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଟାଉନ ଥାନା ଇନ୍ସପେକ୍ଟର ନୀହାର ରଞ୍ଜନ ପ୍ରଧାନ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ଏସ୍‌ଟି ୧୮୨/୧୮ର ବିଚାର ବେଳେ ୮ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ପ୍ରମାଣ ଅଭାବରୁ ଶନିବାର ଉପରୋକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ନିର୍ମଳ ସାହୁ, ରାମ କୁମାର, ଦୀପକ ପଟ୍ଟନାୟକ, ସରୋଜ ଗୌଡ଼ ଓ ଅଶୋକ ଶୁକ୍ଳା ମକଦ୍ଦମା ପରିଚାଳନା କରିଥିଲେ।