କୁଜଙ୍ଗ ଓକିଲ ସଂଘ କର୍ମକର୍ତ୍ତାଙ୍କୁ ନୋଟିସ୍‌

କଟକ ଅଫିସ୍‌,୯ା୪: ଆଇନ୍‌ଜୀବୀଙ୍କୁ ଆର୍ଥତ୍କ ସହାୟତା ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ଅଭିଯୋଗ। ହ୍ବାଟସ୍‌ଆପ୍‌ରେ ଏଭଳି ତଥ୍ୟ ପଠାଇ ଫସିଛନ୍ତି କୁଜଙ୍ଗ ଓକିଲ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବେହେରା ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ କୈଳାସ ଚନ୍ଦ୍ର ମହାପାତ୍ର। ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ତରଫରୁ ଏନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ପରିଷଦର ସମ୍ପାଦକ ଜେ.କେ. ସାମନ୍ତସିଂହାରଙ୍କଠାରୁ ମିଳିଥିବା ସୂଚନାଅନୁଯାୟୀ, ପରିଷଦର ସ୍ବତନ୍ତ୍ର କମିଟିର ବୈଠକ ଗତ ୧ତାରିଖରେ ଅନୁଷ୍ଠିତ ହୋଇଥିଲା। କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ଆଇନ୍‌ଜୀବୀମାନେ ଆର୍ଥିକ କ୍ଷତି ସହୁଛନ୍ତି। ଏଣୁ ଆବଶ୍ୟକ କରୁଥିବା ଆଇନ୍‌ଜୀବୀ(୧୦ବର୍ଷରୁ କମ୍‌)ଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ଏହି କମିଟି ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଆଇନ୍‌ଜୀବୀଙ୍କୁ ସମ୍ପୃକ୍ତ ଓକିଲ ସଂଘର ସଭାପତି କିମ୍ବା ସମ୍ପାଦକଙ୍କ ପାଖରେ ଆବେଦନ ଏବଂ ଯାଞ୍ଚ କରାଇବାକୁ ହେବ। ତେବେ ବର୍ତ୍ତମାନ ସୁଦ୍ଧା ପରିଷଦ ତରଫରୁ ଆର୍ଥିକ ସହାୟତା ରାଶୀ ନେଇ କୌଣସି ପ୍ରକାର ଘୋଷଣା କରାଯାଇ ନାହିଁ। କିନ୍ତୁ ପରିଷଦ ନାମରେ କେତେକ ହ୍ବାଟ୍‌ସଆପ୍‌ ମେସେଜ୍‌ ପଠାଯାଉଥିବା ନଜରକୁ ଆସିଥିଲା, ଯେଉଁଥିରେ ଆଇନ୍‌ଜୀବୀଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶୀ/ଋଣ ପ୍ରଦାନ ସମ୍ପର୍କରେ ଉଲ୍ଲେଖ ରହିଥିଲା। ଏହି ମେସେଜ୍‌କୁ କୁଜଙ୍ଗ ଓକିଲ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବେହେରା ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ କୈଳାସ ଚନ୍ଦ୍ର ମହାପାତ୍ର ପଠାଇଥିବା ତଥ୍ୟ ହସ୍ତଗତ ହୋଇଥିଲା। ଏକ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ଭାବେ କର୍ତ୍ତବ୍ୟରେ ଅଧିକ ଯତ୍ନଶୀଳ ହେବା ପରିବର୍ତ୍ତେ ଏଭଳି ମେସେଜ୍‌ ପଠାଇ ଆଇନଜୀବୀଙ୍କୁ ବିଭ୍ରାନ୍ତ ପାଇଁ ଉଦ୍ୟମ କରାଯାଇଛି। ପରିଷଦ ନିଷ୍ପତ୍ତିର ମଧ୍ୟ ଅବମାନନା ହୋଇଛି। ଏହା ଆଡଭୋକ୍ଟେସ ଆକ୍ଟର ଧାରା ୩୫ର ଉଲ୍ଲଂଘନ। ଏଣୁ ସାଧାରଣ ସମ୍ପାଦକ ବେହେରା ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦର ସମ୍ପାଦକ ସାମନ୍ତସିଂହାର ସୂଚନା ଦେଇଛନ୍ତି ।