କୁକୁର ମୃତ୍ୟୁରେ ୧୩ ଦିନ କ୍ରିୟାକର୍ମ କଲେ ମାଲିକ

ମୁଜାଫର୍‌ନଗର(ଉତ୍ତର ପ୍ରଦେଶ): ସେ କେବଳ ଏକ ପାଳିତ କୁକୁର ନ ଥିଲା, ଆମ ପରିବାର ସଦସ୍ୟ ଥିଲା। ତେଣୁ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଯାହା କରିଥାନ୍ତୁ, ତାହା କାଳୁ(ପାଳିତ କୁକୁର)ପାଇଁ କରିଛୁ। ଉତ୍ତର ପ୍ରଦେଶର ମୁଜାଫର୍‌ନଗର ଅଞ୍ଚଳର ଡା. ବ୍ରହ୍ମଦତ୍ତ ସାଇନି ନିଜ ପାଳିତ କୁକୁରର ମୃତ୍ୟୁପରେ ଏହା କହିଛନ୍ତି। ଏପରି କି ମଣିଷଙ୍କ ମୃତ୍ୟୁ ପରେ ଯେପରି ଅନ୍ତ୍ୟେଷ୍ଟିକ୍ରିୟା ଏବଂ କ୍ରିୟାକର୍ମ କରାଯାଇଥାଏ, ଡା. ସାଇନିଙ୍କ ପରିବାର କାଳୁ ପାଇଁ ସେପରି କରିଛନ୍ତି। ୧୪ ବର୍ଷ ତଳେ ଡା. ସାଇନି କାଳୁକୁ ରାସ୍ତାରେ ପାଇ ଘରକୁ ଆଣିଥିଲେ। ଧୀରେ ଧୀରେ ସେ ପରିବାରର ଏକ ସଦସ୍ୟ ପାଲଟିଯାଇଥିଲା। ହେଲେ କିଛି ସପ୍ତାହ ହେଲା ସେ ଅସୁସ୍ଥ ହୋଇ ପଶୁ ଚିକିତ୍ସାଳୟରେ ଚିକିତ୍ସିତ ଥିବାବେଳେ ଜାନୁୟାରୀ ୧୩ରେ ତା’ର ମୃତ୍ୟୁ ହୋଇଥିଲା। କାଳୁର ମୃତ୍ୟୁରେ ସାଇନିଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। କାଳୁ ଘରକୁ ଆସିବା ସମୟରେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିଲା। ହେଲେ ପରବର୍ତ୍ତୀ ସମୟରେ ସବୁ ସମସ୍ୟା ଦୂର ହୋଇଥିଲା। ସେ ପରିବାର ପାଇଁ ଶୁଭଙ୍କର ଥିଲା ବୋଲି ଡା. ସାଇନି କୁହନ୍ତି। ତେଣୁ ୧୩ ଦିନ ଧରି ସମସ୍ତ କର୍ମ ଚାଲିଥିବାବେଳେ ଏହା ପୂର୍ବରୁ ଏକ ହୋମ ଓ ଭୋଜି ଆୟୋଜନ କରିଛନ୍ତି। ଏଥିସହ କାଳୁର ମୃତ୍ୟୁ ନେଇ ୧୧୦୦ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ଏବଂ ବନ୍ଧୁବର୍ଗଙ୍କୁ ବାର୍ତ୍ତା ପଠାଯାଇଥିବାବେଳେ ୧୩ ଦିନର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରିତ କରାଯାଇଥିବା ଜଣାପଡ଼ିଛି।

Share