କୀଟନାଶକ ପିଇ ନବ ବିବାହିତାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମହାକାଳପଡ଼ା,୯।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ କୋଚିଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜନୈକ ନବ ବିବାହିତାଙ୍କ କୀଟନାଶକ ପିଇବା ଯୋଗୁ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ଭାଇ ଶିବ ପ୍ରସାଦ ଖୁଣ୍ଟିଆ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୬୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ମୃତକ ଏକ ବର୍ଷ ପୂର୍ବେ କୋଚିଳା ଗ୍ରାମର ଯଶୋବନ୍ତ ପ୍ରଧାନଙ୍କ ପୁଅ କାଳନ୍ଦୀଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଉଭୟେ ନାବାଳିକା ଓ ନାବାଳକ ଥିବାରୁ ଗ୍ରାମର ଭଦ୍ର ଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇ ସେମାନଙ୍କର ବିବାହ କରାଯାଇଥିଲା। କୌଣସି କାରଣରୁ ରାତିରେ ସେ ବିଷ ପିଇଦେଇଥିଲେ। ଏହା ଜାଣିପାରି ଶାଶୁଘର ଲୋକେ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଭଉଣୀଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଶିବ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିବା ସହ ସ୍ବାମୀ କାଳନ୍ଦୀଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।