Categories: ଜାତୀୟ

କିଡ୍‌ନୀ ର଼୍ୟାକେଟ୍‌ରେ ୧୩ ଡାକ୍ତର

ନୂଆଦିଲ୍ଲୀ,୧୦ା୬(ଆଇଏଏନ୍‌ଏସ୍‌): ଦିଲ୍ଲୀର ୧୩ ଜଣ ଜଣାଶୁଣା ଘରୋଇ ସର୍ଜନ ଅନ୍ତର୍ଜାତୀୟ କିଡ୍‌ନୀ ପ୍ରତିରୋପଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ସେମାନେ ଏବେ ଉତ୍ତରପ୍ରଦେଶ ପୋଲିସ୍‌ର ତଦନ୍ତ ପରିସରକୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ କେତେଜଣ ୟୁରୋଲୋଜିଷ୍ଟ ମଧ୍ୟ ଅଛନ୍ତି। ଏହି ର଼୍ୟାକେଟ୍‌ର ଚେର ତୁର୍କୀ ଏବଂ କେତେକ ମଧ୍ୟପ୍ରାଚ୍ୟ ଦେଶକୁ ଲମ୍ବିଛି। କିଡ୍‌ନୀ ର଼୍ୟାକେଟରେ ସମ୍ପୃକ୍ତି ଅଭିଯୋଗରେ ପୁଷ୍ପଓ୍ବତି ସିଙ୍ଘାଣିଆ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ପିଏସ୍‌ଆର୍‌ଆଇ)ର ସିଇଓ ଡ. ଦୀପକ ଶୁକ୍ଳାଙ୍କୁ ଗିରଫ କରାଯାଇଥିବାବେଳେ ଫୋର୍ଟିସ୍‌ ହସ୍ପିଟାଲ୍‌ର ଦୁଇଜଣ ପ୍ରମୁଖ ଡାକ୍ତରଙ୍କୁ ନୋଟିସ୍‌ ଜାରି ହୋଇଛି। କେନ୍ଦ୍ରୀୟ ଦିଲ୍ଲୀରେ ଥିବା ଅନ୍ୟତମ ପ୍ରମୁଖ ହସ୍ପିଟାଲ ବିରୋଧରେ ମଧ୍ୟ ତଦନ୍ତ ଜାରି ରହିଥିବାରୁ ଖୁବ୍‌ଶୀଘ୍ର ଅଧିକ ଡାକ୍ତର ଗିରଫ ହେବା ସମ୍ଭାବନା ରହିଛି। ମାନବ ଅଙ୍ଗ ପ୍ରତିରୋପଣ ଆଇନର ଉଲ୍ଲଂଘନ ଅଭିଯୋଗରେ ଫର୍ଟିସ୍‌ ହସ୍ପିଟାଲକୁ ନୋଟିସ ଜାରି ହୋଇଥିବା କାନପୁର ଏସ୍‌ଏସ୍‌ପି ଅନନ୍ତ ଦେଓ କହିଛନ୍ତି। ଦଲାଲଙ୍କ ମାଧ୍ୟମରେ ଗରିବ ରୋଗୀଙ୍କୁ ଶୋଷଣ କରୁଥିବା ଦିଲ୍ଲୀର ଅନ୍ୟ ଏକ ହସ୍ପିଟାଲ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। କେତନ କୌଶିକ୍‌ ନାମକ ଡାକ୍ତରଙ୍କୁ ପୋଲିସ ଖୋଜୁଛି। କିଡ୍‌ନୀ ପ୍ରତିରୋପଣ ପାଇଁ ସେ ତୁର୍କୀ, ୟୁଏଇ ଏବଂ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶରୁ ରୋଗୀଙ୍କୁ ଆଣିଥାନ୍ତି। ଉକ୍ତ ର଼୍ୟାକେଟରେ ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ଗ୍ରୁପ୍‌ କାମ କରୁଥିବା ଏସ୍‌ଏସ୍‌ପି କହିଛନ୍ତି।

Share