କିଙ୍ଗ୍‌-ମେକରଙ୍କ ଭୂମିକା

ବୈକୁଣ୍ଠନାଥ ମିଶ୍ର
ଅନେକ ସମୟରେ ଦେଖାଯାଏ ଯେ, କୌଣସି ଶାସନର ସର୍ବୋଚ୍ଚ ସ୍ତରରେ ଏପରି ଜଣେ ଜଣେ ବିଦ୍ୱାନ୍‌ ବ୍ୟକ୍ତିଙ୍କର ଆବିର୍ଭାବ ଘଟିଥାଏ, ଯାହାଙ୍କର ଅନନ୍ୟ ପ୍ରତିଭା ଯୋଗୁ ଶାସନ ମୁଖ୍ୟ ତାଙ୍କ ଉପରେ ବେଶ୍‌ ନିର୍ଭରଶୀଳ ହୋଇଥାନ୍ତି। ସେମାନେ ନିଜେ କିଙ୍ଗ୍‌ ନ ହୋଇ କିଙ୍ଗ୍‌ମେକରର ଭୂମିକା ନିର୍ବାହ କରନ୍ତି। ସେହି କିଙ୍ଗ୍‌ମେକରମାନେ ପ୍ରଚ୍ଛଦପଟ ନାୟକ ହିସାବରେ ତାଙ୍କ ବିଚକ୍ଷଣତାର ପ୍ରୟୋଗ କରି ମୁଖ୍ୟଙ୍କୁ ସଦା ବିପଦମୁକ୍ତ କରିବା ସହ ତାଙ୍କ ସଫଳତାର ମାର୍ଗ ଉନ୍ମୁକ୍ତ କରନ୍ତି। ବିରୋଧୀ ଏପରିକି ଆପଣା ଲୋକଙ୍କ ପକ୍ଷରୁ ବାରମ୍ବାର ଆପତ୍ତି ଅଭିଯୋଗ କରାଯାଉଥିଲେ ମଧ୍ୟ ଶାସନମୁଖ୍ୟ ସେଥିପ୍ରତି ଉଦାସୀନ ରହନ୍ତି। ଶାସନ ପରିଚାଳନାରେ ସେମାନଙ୍କ ଦକ୍ଷତା, ନିଷ୍ଠା, ମୂଲ୍ୟବାନ ଉପଦେଶ ତଥା ପରାମର୍ଶ ସେମାନଙ୍କୁ ମୁଖ୍ୟଙ୍କର ଅତି ବିଶ୍ୱସ୍ତ ଓ ନିର୍ଭରଶୀଳ କରିଥାଏ।
ଇତିହାସ ପୃଷ୍ଠା ଏପରି କିଙ୍ଗ୍‌ମେକରଙ୍କ ବିରଳ କୃତିତ୍ୱରେ ଚିର ଭାସ୍ବର। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟ ତିନିପୁରୁଷ ଧରି ଯେଉଁ ଦିଗ୍‌ଦର୍ଶନ ଦେଇ ଆସୁଥିଲେ ତା’ର ପରିଣାମସ୍ବରୂପ ମୌର୍ଯ୍ୟ ସମ୍ରାଟମାନେ କେବଳ ଦିଗନ୍ତବିସ୍ତୃତ ସାମ୍ରାଜ୍ୟର ଅଧିପତି ହୋଇ ନ ଥିଲେ ବରଂ ଯଶ ଓ କ୍ଷମତାର ପ୍ରାଚୁର୍ଯ୍ୟ ମଧ୍ୟରେ ସୁଶାସକର ଗୌରବ ଅର୍ଜନ କରିଥିଲେ। ଚନ୍ଦ୍ରଗୁପ୍ତ ପରି ଏକ ଗ୍ରାମୀଣ ଯୁବକଙ୍କୁ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟରେ ପରିଣତ କରିବା ମୂଳରେ ନିହିତ ଥିଲା ଚାଣକ୍ୟଙ୍କ ବୁଦ୍ଧି। ସମ୍ରାଟ ବିନ୍ଦୁସାର ଓ ଅଶୋକ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କର ପ୍ରାଜ୍ଞ ଅନୁଶାସନର ଏକ ଏକ ସଫଳ ରୂପାୟନ। ଗଭୀର ପ୍ରଜ୍ଞା ଓ ପ୍ରଗାଢ଼ କୂଟନୀତି ସହ ପ୍ରତ୍ୟୁତ୍ପନ୍ନମତିତାର ବିରଳ ସମ୍ମିଶ୍ରଣ ଆଚାର୍ଯ୍ୟଙ୍କୁ ଅନନ୍ୟ କରି ଗଢ଼ିତୋଳିଥିଲା। ବିନ୍ଦୁସାରଙ୍କ ସ୍ବପତ୍ନୀସମ୍ଭୂତ ତିନି ପୁତ୍ର ଥିଲେ ମଧ୍ୟ ଦାସୀପୁତ୍ର ଅଶୋକଙ୍କଠାରେ ସେ ଦେଖିଥିଲେ ତାଙ୍କ ଈପ୍‌ସିତ ଶାସକର ପ୍ରତିଚ୍ଛବି। ମଗଧ ସମ୍ରାଟଙ୍କ ପକ୍ଷେ କ’ଣ ଉଚିତ ବା ଅନୁଚିତ ତା’ର ସମ୍ଭାବ୍ୟ ନକ୍ସା ଆଙ୍କୁଥିଲେ ଏହି ସ୍ଥିତପ୍ରଜ୍ଞ ଆଚାର୍ଯ୍ୟ। ନିଜେ ନିରାଡମ୍ବର ଜୀବନ ବିତାଇ ଶାସକଙ୍କ ହିତ ଚିନ୍ତନ କରିବା ଥିଲା ଚାଣକ୍ୟଙ୍କର ସର୍ବଶ୍ରେଷ୍ଠ ଆଦର୍ଶ। ଶ୍ରେଷ୍ଠ କୂଟନୀତିଜ୍ଞ କୌଟିଲ୍ୟଙ୍କୁ ଶେଷରେ କୂଟନୀତି ଦ୍ୱାରା ଅଗ୍ନିଦଗ୍ଧ କରି ହତ୍ୟା କରାଗଲା। ଶାସ୍ତ୍ର କହେ ବିଦ୍ୱାନ୍‌ ଧନୀ ନୁହନ୍ତି କି ନୃପତି ଦୀର୍ଘଜୀବୀ ନୁହନ୍ତି। ତେଣୁ ତ ମୌର୍ଯ୍ୟ ସାମ୍ରାଜ୍ୟର ତିନିପୁରୁଷ ଧରି ସେ ଆରାଧ୍ୟ ଗୁରୁଙ୍କର ସ୍ଥାନ ଅଧିକାର କରିଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ- ”ଗନ୍ଧଂ ସୁବର୍ଣ୍ଣେ ଫଳମିକ୍ଷୁଦଣ୍ଡେ ନାକାରି ପୁଷ୍ପଂ ଖଳୁ ଚନ୍ଦନସ୍ୟ, ବିଦ୍ୱାନ୍‌ ଧନୀ ଭୂପତି ଦୀର୍ଘଜୀବୀ ଧାତୁଃ ପୁରା କୋଽପି ନ ବୁଦ୍ଧିଦୋଽଭୂତ୍‌।“ ଅର୍ଥାତ୍‌ ମୂଲ୍ୟବାନ ଧାତୁ ସୁବର୍ଣ୍ଣରେ ଗନ୍ଧ ନାହିଁ, ଆଖୁଗଛ ମିଠା କିନ୍ତୁ ଏହାର ଫଳ ନାହିଁ। ସୁଗନ୍ଧିତ ଚନ୍ଦନ ବୃକ୍ଷରେ ଫୁଲ ନାହିଁ। ବିଦ୍ୱାନ୍‌, ଗୁଣୀ କିନ୍ତୁ ଧନୀ ନୁହନ୍ତି। କ୍ଷମତା ଓ ପରାକ୍ରମର ଉତ୍କର୍ଷ ଥିଲେ ମଧ୍ୟ ରାଜାମାନେ ଦୀର୍ଘଜୀବୀ ନୁହନ୍ତି। ବୋଧହୁଏ ବିଧାତାଙ୍କର କେହି ପରାମର୍ଶଦାତା ନ ଥିଲେ।
ମୋଗଲ ସମ୍ରାଟ ଆକବରଙ୍କ ସମୟର ଏକ କାହାଣୀ, ଯେଉଁଥିରେ କିଙ୍ଗ୍‌ମେକରଙ୍କ ଭୂମିକା ପ୍ରଦର୍ଶିତ ହୋଇଛି। ସମ୍ରାଟଙ୍କ ରାଜସଭାରେ ଅନେକ ଜ୍ଞାନୀ, ଗୁଣୀ ପଣ୍ଡିତ ଥିଲେ ବି ତାଙ୍କ ପାଇଁ ନିର୍ଭରଯୋଗ୍ୟ ଥିଲେ ପଣ୍ଡିତ ବୀରବଲ, ଯାହାଙ୍କର ଅନନ୍ୟ ପ୍ରତିଭା ସମ୍ରାଟଙ୍କୁ ଯେ କୌଣସି ସମସ୍ୟା ଓ ବିପତ୍ତିରୁ ରକ୍ଷା କରୁଥିଲା। ଦ୍ୱିତୀୟତଃ ସଙ୍ଗୀତଜ୍ଞ ତାନ୍‌ସେନ ଥିଲେ ଅତି ପ୍ରିୟ। କୁହାଯାଏ ତାନ୍‌ସେନଙ୍କ ମେଘମହ୍ଲାର ମୂର୍ଚ୍ଛନାରେ ମେଘମୁକ୍ତ ଆକାଶ ଜଳପ୍ରସୂ ହୋଇ ଝରିପଡୁଥିଲା ସ୍ନିଗ୍ଧ ବାରିଧାରା। ସମ୍ରାଟଙ୍କ ରାଜସଭାର ଉଭୟ ହିନ୍ଦୁ ଓ ମୁସଲମାନ ପାରିଷଦ ମଣ୍ଡଳୀ ଈର୍ଷାନ୍ବିତ ହୋଇ ଉଭୟଙ୍କ ବିରୋଧରେ ସମ୍ରାଟଙ୍କ ନିକଟରେ ଗୁପ୍ତ ଅଭିଯୋଗ ବାଢୁଥିଲେ। ବାରମ୍ବାର ଏପରି ଅଭିଯୋଗରେ ଅତିଷ୍ଠ ସମ୍ରାଟ ଏକ କୌଶଳର ଆଶ୍ରୟ ନେଲେ।
ଦିନେ ଏକାନ୍ତରେ ସମ୍ରାଟ ବୀରବଲ ଓ ତାନ୍‌ସେନଙ୍କୁ ଡକାଇ ଏକ ପତ୍ର ଦେଇ ବର୍ମା ରାଜଦରବାରକୁ ପ୍ରେରଣ କଲେ। ଅଭିଯୋଗ କରୁଥିବା ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ସମ୍ରାଟ ଏ ଗୁପ୍ତ ଚିଠିଟି ପଢ଼ାଇ ନୀରବ ରହିବାକୁ ଆଦେଶ ଦେଲେ। ବୀରବଲ ଓ ତାନ୍‌ସେନ ବର୍ମା ରାଜାଙ୍କୁ ପତ୍ରଟି ହସ୍ତାନ୍ତର କଲେ। ବନ୍ଧୁ ଆକବରଙ୍କ ଦ୍ୱାରା ପ୍ରେରିତ ରାଜଦୂତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଅତିଥି ଭବନରେ ରଖାଗଲା। କିନ୍ତୁ ଚିଠିଟି ପାଠକଲା ପରେ ରାଜାଙ୍କ ମୁଖମଣ୍ଡଳ ବିଷଣ୍ଣ ହୋଇଗଲା। ଚିଠିରେ ଉଲ୍ଲେଖ ଥିଲା ବନ୍ଧୁ! ପତ୍ରବାହକ ଦୁହେଁ ମୋର ପରମ ହିତୈଷୀ। କିନ୍ତୁ ସେମାନଙ୍କର ଏକ ଗୁରୁତର ଅପରାଧ ପାଇଁ ମୁଁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇ ନ ପାରି ତୁମ ପାଖକୁ ପଠାଇଲି। ଆଶାକରେ ମୋର ଅନୁରୋଧ ରକ୍ଷାକରି ସାତଦିନ ମଧ୍ୟରେ ଏମାନଙ୍କୁ ମୃତ୍ୟୁଦଣ୍ଡ ଦେବ। ଅତିଥିଶାଳାରୁ ଆଣି ଏ ଦୁହିଙ୍କୁ କାରାରୁଦ୍ଧ କରାଗଲା। ଘୋଷଣା କରାଗଲା ସପ୍ତମ ଦିନ ସେମାନଙ୍କୁ ଫାଶୀ ଦିଆଯିବ। କାରାଗାରରେ ତାନ୍‌ସେନ ବୀରବଲଙ୍କୁ କହିଲେ ସମ୍ରାଟ ଆକବରଙ୍କର ଏ କି ବିଚାର! ଏହା କ’ଣ ଆମ୍ଭଙ୍କୁ ଭଲପାଇବାର ନମୁନା? ସ୍ଥିତପ୍ରଜ୍ଞ ବୀରବଲ କିନ୍ତୁ ନୀରବ। ନା ତାଙ୍କଠାରେ ଥିଲା ଭୟ ଅବା ବିଚଳିତ ଭାବନା। ଷଷ୍ଠ ରାତ୍ରିରେ ବୀରବଲ ତାନ୍‌ସେନଙ୍କୁ କିଛି ପରାମର୍ଶ ଦେଇ ନିଶ୍ଚିନ୍ତ ନିଦ୍ରା ଯିବାକୁ କହିଲେ। ରାତି ପାହିଲା। ଫାଶୀ ସମୟ ନିକଟତର ହେଲା। ଦୁଇଜଣ ପରସ୍ପର ମଧ୍ୟରେ ଝଗଡ଼ା ଆରମ୍ଭ କରିଦେଲେ। ଉଭୟ ପ୍ରଥମେ ଫାଶୀଖୁଣ୍ଟରେ ଝୁଲିବା ପାଇଁ ଘାତକକୁ ନିବେଦନ କଲେ। ଫାଶୀ ପାଇବାର ଏ ବ୍ୟାକୁଳତାକୁ ଦେଖି ରାଜା, ଘାତକ ଓ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଏକ ଅସ୍ବାଭାବିକ ଉତ୍କଣ୍ଠା ଜାତ ହେଲା। ରାଜା ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ଜାଣିବାକୁ ଚାହିଁବାରୁ ବୀରବଲ କହିଲେ, ମଣିମା! ଆପଣ କାହୁଁ ବୁଝିବେ ସମ୍ରାଟ ଆକବରଙ୍କ କ୍ରୂର ଷଡ଼ଯନ୍ତ୍ର। ସେ ନିଜେ ଆମ ଫାଶୀଦଣ୍ଡର ବ୍ୟବସ୍ଥା ନ କରି ଆପଣଙ୍କ ନିକଟକୁ କାହିଁକି ପଠାଇଲେ? କଥା ହେଲା- ସମ୍ରାଟଙ୍କୁ ତାଙ୍କ ରାଜଜ୍ୟୋତିଷ ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ ବର୍ମା ରାଜାଙ୍କର ଖୁବ୍‌ଶୀଘ୍ର ମୃତ୍ୟୁ ହେବ। ଆମ ଦୁହିଁଙ୍କ ମଧ୍ୟରୁ ଯେ ପ୍ରଥମେ ମୃତ୍ୟୁବରଣ କରିବ, ସେ ତତ୍‌କ୍ଷଣାତ୍‌ ପୁନର୍ଜନ୍ମ ପାଇବ ଓ ଖୁବ୍‌ଶୀଘ୍ର ବର୍ମାର ରାଜା ହେବ ଏବଂ ପରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ତାଙ୍କର ମନ୍ତ୍ରୀ ହେବ। କିନ୍ତୁ ସେମାନଙ୍କର ବର୍ମାରେ ମୃତ୍ୟୁ ହେବା ଆବଶ୍ୟକ। ଏହାଦ୍ୱାରା ବର୍ମା ସହଜରେ ମୋଗଲ ସାମ୍ରାଜ୍ୟ ସହ ମିଶିଯିବ। କାରଣ ଆମେ ଦୁହେଁ ସମ୍ରାଟଙ୍କର ପ୍ରିୟ ହୋଇଥିବାରୁ ତାଙ୍କର ବଶ୍ୟତା ସ୍ବୀକାର କରିବୁ। ବର୍ମା ରାଜା ଏ କଥା ଶୁଣି କହିଲେ, ମିତ୍ର ଆକବରଙ୍କ ଏ ମନ୍ଦ ଅଭିଳାଷକୁ ପୂର୍ଣ୍ଣ ହେବାକୁ ଦିଆଯିବ ନାହିଁ। ତୁମ ଦୁହିଙ୍କ ମଧ୍ୟରୁ କାହାରିକୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ। ତୁମେ ଏବେ ମୁକ୍ତ।
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri