Categories: ଜାତୀୟ

କାଶୀରେ ଖୋଲିଲା ପ୍ରଥମ ଓ୍ବାଟର ବ୍ୟାଙ୍କ: ଖାତା ଖୋଲିବାକୁ ଆଧାର ବାଧ୍ୟତାମୂଳକ

ବାରଣାସୀ,୪।୮: ଉତ୍ତର ପ୍ରଦେଶ କାଶୀର ଅଧିକାଂଶ ଅଞ୍ଚଳରେ ଏବେବି ଶୁଦ୍ଧ ପାନୀୟ ଜଳ ସଙ୍କଟ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଓ ବିଶାଳ ଭାରତ ସଂସ୍ଥା ଶକ୍କର ତାଲାବଠାରେ ଏକ ଓ୍ବାଟର ବ୍ୟାଙ୍କ ଆରମ୍ଭ କରିଛନ୍ତି। ଏଠାକୁ ଆସୁଥିବା ଲୋକଙ୍କୁ ନିୟମିତ ୨୦ରୁ ୮୦ ଲିଟର ପର୍ଯ୍ୟନ୍ତ ପାଣି ମାଗଣାରେ ମିଳିପାରିବ। ଆହୁରି ମଧ୍ୟ ଏଠାରୁ ପାଣି ନେଉଥିବା ଲୋକେ ଶପଥ କରିବେ କି ପାଣି ଯେପରି ନଷ୍ଟ ନ କରାଯାଏ। ଏବେ ଏହି ବ୍ୟାଙ୍କର ସୁବିଧା ପାଖାପାଖି ୨ଶହ ପରିବାର ପାଉଛନ୍ତି। ଏହି ବ୍ୟାଙ୍କରେ ଖାତା ଖୋଲିବାକୁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ତିନୋଟି ପାସପୋର୍ଟ ସାଇଜ୍‌ ଫଟୋଗ୍ରାଫ ମଧ୍ୟ ଆବଶ୍ୟକ ପଡୁଛି। ବ୍ୟାଙ୍କର ଚେୟାରମ୍ୟାନ ଡ. ରାଜୀବ ଶ୍ରୀବାସ୍ତବ କୁହନ୍ତି ସାଧାରଣ ବ୍ୟାଙ୍କ ଭଳି ଏହା କାମ କରୁଛି। ଏଥିରେ ଖାତା ଖୋଲିବା ସହ ଦିନକୁ କିଏ କେତେ ଲିଟର ପାଣି ନେଲେ ତାହା ଏଣ୍ଟ୍ରି କରାଯାଉଛି। ଆଉ ପାଣି ନେବା ପାଇଁ ଓ୍ବିଡ୍ରାଲ ଫର୍ମ ମଧ୍ୟ ପୂରଣ କରିବାକୁ ପଡୁଛି। ଏଠାରେ ମ୍ୟାନେଜରଙ୍କ ସମେତ ଆଉ ୬ ଜଣ କର୍ମଚାରୀ କାମ କରୁଛନ୍ତି। ତେବେ ଯେଉଁମାନେ ଏଠାରୁ ପାଣି ନେଉଛନ୍ତି ସେମାନେ ଏହାକୁ ଠିକ୍‌ ଭାବେ ଉପଯୋଗ କରୁଛନ୍ତି କି ନା ତା’ର କାଉନସିଲିଂ ମଧ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳ ସଂରକ୍ଷଣ ଯୋଜନାକୁ ଦେଖି ଏଭଳି ବ୍ୟାଙ୍କ ଖୋଲା ଯାଇଥିବା ଡ. ଶ୍ରୀବାସ୍ତବ କହିଛନ୍ତି। ଏହା ପାଇଳଟ ପ୍ରୋଜେକ୍ଟ ଭାବେ ଖୋଲା ଯାଇଥିବା ବେଳେ ଏହାର ସଫଳତାକୁ ଦେଖି ଆଗକୁ ଆହୁରି ଏମିତି ବ୍ୟାଙ୍କ ଖୋଲା ଯିବାର ବ୍ୟବସ୍ଥା ରହିଥିବା ସେ ପ୍ରକାଶ କରିଛନ୍ତି।

Share