କାଶୀପୁର ବନ୍ଦ ପାଳନ

ରାୟଗଡ଼ା ଅଫିସ,୫।୧: ରାୟଗଡ଼ା ଜିଲା କାଶୀପୁର ବ୍ଲକସ୍ଥିତ ବାଫାଲମାଲି ଖଣି ଅଞ୍ଚଳରେ କର୍ମୀ ନିଯୁକ୍ତି ଦାବି ନେଇ ଚନ୍ଦ୍ରଗିରି ଛକରେ ଆନ୍ଦୋଳନରେ ବସିଥିବା ୩୪ ଜଣ ମହିଳା ଓ ୮ ଜଣ ଶିଶୁଙ୍କୁ ଅଣ୍ଡିରାକାଞ୍ଚ ଥାନାଧିକାରୀ ଶନିବାର ଗିରଫ କରିଥିଲେ। ଏହାର ପ୍ରତିବାଦରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ରବିବାର କାଶୀପୁର ବନ୍ଦ ଡାକରା ଦେଇଥିଲେ। ତେବେ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ବନ୍ଦର ପ୍ରଭାବ ପଡିଛି ସ୍ଥାନେ ସ୍ଥାନେ ଲୋକମାନଙ୍କୁ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ କରାଯାଇଛି। ସଂକରଡ଼ା, ପଞ୍ଚାଲି, ପାଇକ କୂପା ଖାଲ ଏବଂ କାଶୀପୁରରେ ରାସ୍ତା ଅବରୋଧ କରାଯାଇଛି। ଏହାଦ୍ୱାରା ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀକୁ ଯାଉଥିବା ୪ ଚକିଆ ଯାନବାହନ ବନ୍ଦ କରାଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ବାଫାଲମାଲି ଖଣି ଫାଟକ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।