Categories: ଗଞ୍ଜାମ

କାଳିଆ ଯୋଜନା ହିତାଧିକାରୀଙ୍କ ଯାଞ୍ଚ:ଧରାପଡ଼ିଲେଣି ୪୨୪ ଅଯୋଗ୍ୟ

କବିସୂର୍ଯ୍ୟନଗର,୧୮ା୮-କାଳିଆ ଯୋଜନାରେ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଯେଭଳି ସହାୟତା ପାଇବେ ସେ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ପୂର୍ବରୁ ହୋଇଥିବା ତାଲିକାରୁ ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଆସନ୍ତା ୨୭ ପର୍ଯ୍ୟନ୍ତ ଯାଞ୍ଚ କରାଯାଇ ୨୯ରେ ବ୍ଲକସ୍ତରରେ ଓ ୩୧ ତାରିଖରେ ଜିଲାସ୍ତରରେ ହିତାଧିକାରୀ ତାଲିକା ଚୂଡ଼ାନ୍ତ ହୋଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ପଠାଯିବାକୁ ସ୍ଥିର ହୋଇଛି ।
କବିସୂର୍ଯ୍ୟନଗର ବ୍ଲକରେ ଗତ ୧୬ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ତଦନ୍ତରେ ୧୨ ହଜାର ୫୫୩ ଜଣ ଯୋଗ୍ୟ ଥିବାବେଳେ ୪୨୪ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଅନ୍‌ଲାଇନରେ ଜାଣିବାକୁ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୭,୮୪୨ ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯିବ ବୋଲି ନୋଡାଲ ଅଧିକାରୀ ବିଡିଓ ବାସୁଦେବ ନାୟକ ସୂଚନା ଦେଇଛନ୍ତି। ସରକାରଙ୍କ ଏପରି ନୀତିକୁ ନେଇ ଜନସାଧାରଣ ଓ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସରକାରଙ୍କ ଧାର୍ଯ୍ୟ ତାରିଖ ପୂର୍ବରୁ ଅଯୋଗ୍ୟ ହିତାଧିକାରୀ ପଞ୍ଚାୟତରେ ଲଟକା ଯାଇଥିବା ତାଲିକାକୁ ଦେଖି ନେଇଥିବା ଟଙ୍କା ନ ଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଡାଲ ଅଧିକାରୀ କହିଛନ୍ତି । ପ୍ରକୃତ ହିତାଧିକାରୀ କାଳିଆ ଯୋଜନାରୁ ବଞ୍ଚିତ ଥିବା ବେଳେ ଧନୀକ ଶ୍ରେଣୀ, ସରକାରୀ ଚାକିରିଆ ଓ ଗୋଟିଏ ପରିବାରର ୪/୫ ଜଣ ସହାୟତା ନେଇଥିବା ଦେଖିବାକୁ ମିଳିଛି । ଯାଞ୍ଚ ଶେଷ ସୁଦ୍ଧା ବ୍ଲକରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୨ ହଜାରରୁ ଊର୍ଦ୍ଧ୍ୱ ହେବା ସମ୍ଭାବନା ରହିଛି।