କାଳିଆ-କିଷାନ ମିଶ୍ରଣ ପ୍ରସଙ୍ଗରେ ନିରଞ୍ଜନଙ୍କ କଟାକ୍ଷ: ଅର୍ଥାଭାବରୁ ଭାଜପାର ଶରଣ ପଶିଛନ୍ତି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ରାଜ୍ୟ ସରକାର ପିଏମ୍‌ କିଷାନ ନିଧି ଯୋଜନାରେ କାଳିଆ ଯୋଜନାକୁ ସାମିଲ କରିବାକୁ ଯାଉଛନ୍ତି। ଏହାକୁ ନେଇ ଉଭୟ ଭାଜପା ଓ କଂଗ୍ରେସ ପକ୍ଷରୁ କଟାକ୍ଷ କରାଯାଉଛି। ଏହି କ୍ରମରେ ଶନିବାର କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏହି ନୀତିକୁ କଡ଼ା ଭତ୍ସନା କରିଛନ୍ତି। ସରକାର ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ‘କାଳିଆ’ ଏବଂ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ କରିଥିଲେ। ଏବେ ଅର୍ଥାଭାବ ଦେଖାଦେବାରୁ ଭାଜପାର ଶରଣ ପଶିଛନ୍ତି। ପୂର୍ବରୁ ରାଜନୀତିରେ ସାଲିସ କରି ମିଶିଥିଲେ, ଏବେ ଯୋଜନାରେ ଶରଣ ପଶିଛନ୍ତି ବୋଲି ସେ କହିଛନ୍ତି। ଏଥିସହ ଉଭୟ ଭାଜପା ଓ ବିଜେଡି କେବଳ ପ୍ରତିଶ୍ରୁତିର ସରକାର ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ପ୍ରକାଶଯୋଗ୍ୟ, କାଳିଆ-ପିଏମ୍‌ କିଷାନ ଯୋଜନା ମିଶ୍ରଣକୁ ନେଇ ଶୁକ୍ରବାର ଭାଜପା ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ କଡ଼ା ସମାଲୋଚନା କରାଯାଇଥିଲା। ଦଳ ଉପସଭାପତି ସମୀର ମହାନ୍ତି କହିଥିଲେ, ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନା ଲାଗୁ କରାଇଲେ ନାହିଁ। ଏବେ ଅର୍ଥ ଅଭାବନରୁ କେନ୍ଦ୍ରୀୟ ଯୋଜନାରେ ସାମିଲ କରି ମିଶାଇବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଥିଲେ।