Categories: ନୟାଗଡ଼

କାଳବୈଶାଖୀ ପ୍ରଭାବ: ଗଛ ପଡ଼ି ଜଣେ ମୃତ, ୧୦ ଆହତ

ନୟାଗଡ଼ ଅଫିସ,୧୪।୬: ନୟାଗଡ଼ ଜିଲା ସଦର ବ୍ଲକ ନବଘନପୁର ପଞ୍ଚାୟତ ଲଡ଼ୁକିଶୋରପୁର ଗ୍ରାମରେ ଗୁରୁବାର ରାତିରେ କାଳବୈଶାଖୀରେ ଗଛ ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଲଡୁକିଶୋରପୁର ୪ ନମ୍ବର ଓ୍ବାର୍ଡର ଓ୍ବାର୍ଡମେମ୍ବର ରୂପା ବେହେରାଙ୍କ ସ୍ବାମୀ ରବୀନ୍ଦ୍ର କୁମାର ବେହେରା। ରାମଚନ୍ଦ୍ର ପରିଡ଼ା, ଦିଲୀପ ସାହୁଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି।
ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଉକ୍ତ ଅଞ୍ଚଳରେ କାଳବୈଶାଖୀ ହୋଇଥିଲା। ଗରମ ହେଉଥିବାରୁ ରବୀନ୍ଦ୍ରଙ୍କ ସମେତ ଆଉ କେତେଜଣ ଲୋକ ଗ୍ରାମର କୋଠ ଘରେ ବିଶ୍ରାମ ନେଇଥିଲେ। ଏହି ସମୟରେ ଏକ କଇଁଆ ଗଛ ଭାଙ୍ଗି କୋଠ ଘରଉପରେ ପଡ଼ିଯାଇଥିଲା। ରବୀନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଘରକୁ ପଠାଯାଇଛି। ରବୀନ୍ଦ୍ରଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଛି।